ମୁମ୍ବାଇ ଅଣୁଶକ୍ତି ନଗରରେ ଜ୍ୟେଷ୍ଠ ପୂର୍ଣ୍ଣିମା ମହୋତ୍ସବ ପାଳିତ, ଏକାଠି ହେଲେ ବହୁ ଜଗନ୍ନାଥ ପ୍ରେମୀ

ମୁମ୍ବାଇ : କେନ୍ଦ୍ରୀୟ ଆଣବିକ ଶକ୍ତି ବିଭାଗର ମୁମ୍ବାଇ ସ୍ଥିତ ଆବାସିକ ପରିସର ଅଣୁଶକ୍ତି ନଗରଠାରେ ଜ୍ୟେଷ୍ଠ ପୂର୍ଣ୍ଣିମା ମହୋତ୍ସବ ଆନନ୍ଦ ଉଦ୍ଦୀପନା ସହିତ ଅନୁଷ୍ଠିତ ହୋଇ ଯାଇଛି। ଆଞ୍ଚଳିକ ଓଡ଼ିଆ ସମିତି ଆନୁକୂଲ୍ୟରେ ସ୍ନାନ ପୂର୍ଣ୍ଣିମା ଉତ୍ସବର ବିଧିବଦ୍ଧ ଶୁଭାରମ୍ଭ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ରାତିରୁ ହୋଇଥିଲା । ଶ୍ରୀବିଗ୍ରହମାନଙ୍କ ନିମନ୍ତେ ସ୍ନାନ ଜଳ ସଂଗ୍ରହ ପରେ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି ଏବଂ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ଆଦି ନୀତି ସମ୍ପନ୍ନ ହୋଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ସ୍ନାନ ଜଳ ସଂସ୍କାର ହୋଇ ଶ୍ରୀବିଗ୍ରହମାନଙ୍କର ସ୍ନାନବିଧି କରାଯାଇଥିଲା। ଏଥିରେ ଭାଗ ନେବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳି ଥିଲା।
ଅଣୁଶକ୍ତି ନଗର ଓଡ଼ିଆ ସମିତିର ଅଧ୍ୟକ୍ଷ ଡା: ନିଗମାନନ୍ଦ ମିଶ୍ର ଛେରାପହଁରା ଆଦି ସେବା ନୀତି ସମ୍ପନ୍ନ କରିଥିଲେ। ଏହା ପରେ ଶ୍ରୀଜୀଉମାନଙ୍କର ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଭକ୍ତମାନଙ୍କ ଦ୍ଵାରା ବୈଦିକ ମନ୍ତ୍ର, ଶ୍ରୀଜଗନ୍ନାଥ ଅଷ୍ଟକ, ବ୍ରହ୍ମପୁରାଣ ଏବଂ ଶ୍ରୀବିଷ୍ଣୁ ସହସ୍ରନାମ ପାଠ ସହିତ ଭଜନ ପରିବେଷଣ କରାଯାଇ ଥିଲା। ସମିତି ଦ୍ଵାରା ପ୍ରସାଦ ସେବନର ବ୍ୟବସ୍ଥା ଏବଂ ରାତ୍ରରେ ପଣା ଭୋଗ ଅନୁଷ୍ଠିତ ହୋଇଥିଲା ।
ପରେ ଶ୍ରୀବିଗ୍ରହମାନଙ୍କୁ ଅନବସର ଗୃହକୁ ପହଣ୍ଡି ବିଜେ କରାଯାଇ ଥିଲା। ଏହି ଅବସରରେ ଅଣୁଶକ୍ତି ନଗର ଓଡ଼ିଆ ସମିତିର ଶତାଧିକ ସଦସ୍ୟ ଏବଂ ଜଗନ୍ନାଥ ଅନୁରାଗୀ ଭକ୍ତମାନେ ସପରିବାର ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ମହୋତ୍ସବର ସଫଳ ଆୟୋଜନ ପାଇଁ ସଂଗଠନ ପକ୍ଷରୁ ଅଧ୍ୟକ୍ଷ ଡା॰ ନିଗମାନନ୍ଦ ମିଶ୍ର, ଉପାଧ୍ୟକ୍ଷ ଜିତେନ୍ଦ୍ର ଶୁକ୍ଳା, ସଚିବ ଅଶୋକ କୁମାର ରଥ, ରଥଯାତ୍ରା କାର୍ଯ୍ୟନିର୍ବାହୀ ସଂଯୋଜକ ଡା॰ ସନ୍ତୋଷ ପ୍ରଧାନ, ସଂଗଠନର ବରିଷ୍ଠ ମାର୍ଗଦର୍ଶକ ଏବଂ ସଦସ୍ୟମାନେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।