ଆଜି ସୃଷ୍ଟି ହେବ ବାତ୍ୟା ଏବଂ ୩୦ରେ ସ୍ଥଳଭାଗ ଛୁଇଁବ। ଆଜି ସମୁଦ୍ରରେ ବାତ୍ୟା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ଆଗାମୀ ୬ ଘଣ୍ଟାରେ ବାତ୍ୟାର ରୂପ ନେବ। ତ୍ରିଙ୍କୋମାଳି ଠାରୁ ୧୦୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ଶ୍ରୀଲଙ୍କା କୋଷ୍ଟ ଆଡ଼କୁ ମୁହାଁଇବ । ୩୦ ତାରିଖ ସକାଳ ସୁଦ୍ଧା ମହାବଳିପୁରମ ଓ କଡ଼ାଇକାଲ ମଧ୍ୟରେ ଉତ୍ତର ତାମିଲନାଡ଼ୁ – ପୁଡ଼ୁଚେରୀ ଉପକୂଳ ଅତିକ୍ରମ କରିବ ।
ସେତେବେଳେ ପବନର ବେଗ ରହିବ ୫୦ ରୁ ୬୦ କିଲୋମିଟର । ଝଟକା ପବନର ବେଗ ୭୦ କିଲୋମିଟର ରହିପାରେ । ଏହାର ପ୍ରଭାବ ଆରମ୍ଭ ହୋଇ ସାରିଲାଣି । ତାମିଲନାଡ଼ୁରେ ଗତକାଲି ଠାରୁ ପ୍ରବଳ ବର୍ଷା ହେଉଛି । ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚେନ୍ନାଇ ସମେତ ଅନେକ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ବର୍ଷା ଯୋଗୁଁ ଗତକାଲି ଚେନ୍ନାଇରୁ ୭ଟି ବିମାନ ବିଳମ୍ବରେ ଉଡାଣ ଭରିଥିଲା । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ତେଣୁ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ସମୁଦ୍ରରେ ଥିବା ମତ୍ସଜୀବୀଙ୍କୁ ଶୀଘ୍ର ଫେରି ଆସିବାକୁ କୁହାଯାଇଛି ।