ନୂଆଦିଲ୍ଲୀ(କେନ୍ୟୁଜ୍): ବାୟୁସେନାର ଏଏନ -୩୨ ବିମାନ ଦୁର୍ଘଟଣାରେ ମୃତକଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଶ୍ରଦ୍ଧାଞ୍ଜଳି। ନୂଆଦିଲ୍ଲୀର ଇଣ୍ଡିଆ ଗେଟ ଠାରେ ମୃତ ୧୩ଜଣ ବାୟୁସେନା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗ ଓ ସଂପର୍କୀୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ରାଜନାଥ। ଗତକାଲି ୧୩ଜଣ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶେଷକୃତ୍ୟ ପାଇଁ ସେମାନଙ୍କ ଶରୀରର ଅବଶେଷାଂଶକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ରାଜନାଥ କହିଛନ୍ତି।
ଜୁନ ୩ତାରିଖରେ ଆସାମର ଜୋରହାଟରୁ ଏଏନ ୩୨ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ଏହା ନିଖୋଜ ହୋଇଯାଇଥିଲା। ଏକ ସପ୍ତାହ ବ୍ୟାପୀ ସର୍ଚ୍ଚ ଅପରେସନ ପରେ ବିମାନର ଭଗ୍ନାଂବଶେଷ ଉଦ୍ଧାର ହୋଇଥିଲା। ତେବେ ବିମାନରେ ଥିବା ୬ ବାୟୁସେନା କର୍ମଚାରୀ ଓ ଅନ୍ୟ ୭ଜଣଙ୍କ ମୃତଦେହର କୌଣସି ପତ୍ତା ମିଳିନଥିଲା। ୧୭ ଆଇଏଏଫର ଉଦ୍ଧାରକାରୀ ଦଳ, ସେନା ଓ ସ୍ଥାନୀୟ ବାସିନ୍ଦା ମୃତଦେହକୁ ଗତକାଲି ଠାବ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ବିମାନ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।