DRDO ବୈଜ୍ଞାନିକଙ୍କୁ ଅପହରଣ: ୩ ଗିରଫ, ୨ ଫେରାର

ନୂଆଦିଲ୍ଲୀ: ନୋଏଡାରେ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ୩୫ ବର୍ଷିୟ ଜଣେ ବୈଜ୍ଞାନିକଙ୍କୁ ଅପହରଣ କରାଯାଇ ନୋଏଡାର ଏକ ହୋଟେଲରେ ବନ୍ଦୀ କରି ରଖାଯାଇଥିଲା । ଏହି ଅପହରଣରେ ୫ଜଣ ବ୍ୟକ୍ତି ସାମିଲ ରହିଥିବା ବେଳେ ସେମଧ୍ୟରୁ ଜଣେ ମହିଳା ହୋଇଥିବାର ସୂଚନା ମିଳିଛି । ଏହି ମହିଳା ଜଣକ ଲୋକପ୍ରିୟ ସୋ ବିଗବସର ଜଣେ ପ୍ରତିଯୋଗୀ ହୋଇଥିବାର ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ଖଲାସ କରିବା ପାଇଁ ୧୦ ଲକ୍ଷ ଟଙ୍କାର ଦାବି କରିଛନ୍ତି। ଏକ OYO ହୋଟେଲରେ ବନ୍ଦୀ କରି ରଖାଯାଇଥିବା ଏହି ବ୍ୟକ୍ତି ଜଣକ ଡିଫେନ୍ସ ରିର୍ସଚ ଆଣ୍ଡ ଡେଭଲ୍ପମେଣ୍ଟ ଅରଗାନାଇଜେସନ(DRDO)ର ଏକ ଅଂଶ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ସମ୍ପୃକ୍ତ ମହିଳା ଜଣକଙ୍କ ନାମ ସୁନିତା ଗୁର୍ଜର ଉର୍ଫ ବବଲି ହୋଇଥିବା ବେଳେ ସେ ଏକ ସ୍ଥାନୀୟ ବିଜେପି ନେତ୍ରୀ ହୋଇଥିବାର ତାଙ୍କ ଫେସବୁକ ଆକାଉଣ୍ଟରୁ ଜଣାପଡିଛି। ସେହିପରି ସେ ନିଜ ଫେସବୁକ ଆକାଉଣ୍ଟରେ ବିଗବସର କୋ ହୋଷ୍ଟ ଅର୍ଥାତ ବଲିଉଡ ଅଭିନେତା ସଲମାନ ଖାନଙ୍କ ସହ ଫଟୋ ମଧ୍ୟ ଅପଲୋଡ କରିଛନ୍ତି। ଏହା ବ୍ୟତିତ ମହିଳା ଜଣକ ବିଗ ବସ ସିଜିନ ୧୦ର ବିଜେତା ମନଭିର ଗୁଜରଙ୍କ ଗ୍ରାମବାସୀ ହୋଇଥିବାର ଦାବି କରିଥିବା ବେଳେ ମନଭିରଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନିବାରେ ଆପତ୍ତି ପ୍ରକାଶ କରିଛନ୍ତି।
ନୋଏଡାର ସେକ୍ଟର ୭୪ରେ ରହୁଥିବା ବୈଜ୍ଞାନିକ ଜଣକ ମସାଜ ପାର୍ଲର ସନ୍ଧାନ କରୁଥିବା ସମୟରେ ସୁନିତାଙ୍କ ସର୍ମ୍ପକରେ ଆସିଥିଲେ। ସୁନିତା ଦେଇଥିବା ନମ୍ବରରେ ସେ କଲ କରିବାରୁ ତାଙ୍କୁ ଲଜିକ୍ସ ସିଟି ସେଣ୍ଟରକୁ ଆସିବାକୁ କୁହାଯାଇଥିଲା। ଏହାପରେ ବ୍ୟକ୍ତି ଜଣକ ସେଠାରେ ପହଞ୍ଚିଥିଲେ ଏବଂ ସେଠାରୁ ତାଙ୍କୁ ଅପହରଣ କରି କୁନାଲ ରେଜିଡେନ୍ସି ନିଆଯାଇ ସେଠାରେ ତାଙ୍କୁ ବନ୍ଦୀ କରି ରଖାଯାଇଥିଲା। ପରେ ଅପହରଣକାରୀମାନେ ସେହି ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ଫୋନ କରି ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଖବର ପାଇ ବୈଜ୍ଞାନିକଙ୍କ ପତ୍ନୀ ପୋଲିସ ସହ ସମ୍ପର୍କ କରିବାରୁ ପୋଲିସ ଏକ ଟିମ୍ ଗଠନ କରି ମାମଲାର ତଦନ୍ତ ଆରମ୍ଭ କରିଥିଲେ। ତେବେ ରବିବାର ଦିନ ସୁନିତା ସମେତ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିଛି ଏବଂ ଚଖମା ଦେଇ ଖସି ପଳାଇଥିବା ବାକି ଦୁଇ ଜଣଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଅଭିଯୁକ୍ତଙ୍କ ଦଳ ମସାଜ ସର୍ଭିସ ଦେବା ବାହାନରେ ଲୋକଙ୍କୁ ଲୁଟର ଶିକାର କରୁଥିଲେ ବୋଲି ସୂଚନା ମିଳିଛି।