ଦିଲ୍ଲୀ ଅର୍ପିତ ହୋଟେଲ ଅଗ୍ନିକାଣ୍ଡ : ଆସନ୍ତୁ ଜାଣିବା ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା କିଛି ଲୋକଙ୍କ ଅଙ୍ଗେନିଭା କଥା

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଏକ ଛୋଟ ସମସ୍ୟା ଭୟାନକ ଅଗ୍ନିକାଣ୍ଡର ରୂପ ନେଇଥିଲା ଦିଲ୍ଲୀର ସେହି ହୋଟେଲରେ । ଯେଉଁଥିରେ ଚାଲିଗଲା ୧୭ ଜଣଙ୍କର ଜୀବନ । ଦିଲ୍ଲୀର କରୋଲବାଗରେ ଥିବା ଅର୍ପିତ ହୋଟେଲରେ ଭୋର ପ୍ରାୟ ୪ଟା ବେଳକୁ ନିଆଁ ଲାଗି ଯାଇଥିଲା । ହୋଟେଲରେ ପାଖାପାଖି ୫୩ଜଣ ଲୋକଥିଲେ । ନିଆଁର ଉତ୍ତାପ ଭାଙ୍ଗି ଦେଲା କିଛି ଲୋକଙ୍କ ନିଦ । ଯେଉଁମାନେ ଉଠି ପାରିନଥିଲେ ଚିରନିଦ୍ରାରେ ଶୋଇଗଲେ ।

ବର୍ତ୍ତି ଯାଇଥିବାମାନଙ୍କ ଭିତରେ ଜଣେ ଭୁକ୍ତଭୋଗୀ ହେଉଛନ୍ତି ଅସୀମ ମୟୁର । ସେ ବ୍ୟାବସାୟିକ କାମରେ ଦିଲ୍ଲୀ ଆସିଥିଲେ। ମୟୁରଙ୍କ କହିବା ଅନୁସାରେ ମୁଁ କିଭଳି ମୋ ଜୀବନ ବଞ୍ଚାଇଲି ତାହା କେବଳ ଭଗବାନଙ୍କୁ ଜଣାଥିବ । ଆଶା ତ ବିଲକୁଲ ନଥିଲା କାରଣ ପରିସ୍ଥିତି ବହୁତ ଭୟାନକ ଥିଲା। ମୁହଁରେ ଓଦା ଟାେଓ୍ଵଲ ବାନ୍ଧି ହାଇଡ୍ରୋଲିକ ମେସିନ ସାହାଯ୍ୟରେ ଝରକା ଭାଙ୍ଗି ମୁଁ ବାହାରକୁ ବାହାରିଥିଲି। ସେ କହିଥିଲେ ଚାରିଆଡ଼େ ଧୂଆଁ ଏବଂ ନିଆଁର ତେଜ ଥିଲା । ଏଭଳି ଭୟାନକ ପରିସ୍ଥିତିରେ କିଛି ସମୟ ପାଇଁ ମୋର ନିଶ୍ୱାସ ବନ୍ଦ ହୋଇଯାଇଥିଲା । ହେଲେ ସାହସ ଜୁଟାଇ ଏକ ଟାେଓ୍ଵଲକୁ ଓଦା କରି ମୁହଁରେ ବାନ୍ଧି ଦେଇଥିଲି । ସେ ଫାୟାର ଆଲାର୍ମ ବଜାଇଥିଲେ କିନ୍ତୁ ତାହା କାମ କରୁ ନଥିଲା । ନିଆଁ ଲାଗିବା ଘଟଣାରେ ସବୁଠାରୁ ପ୍ରଥମ କଲ ମୟୁର କରିଥିଲେ। ସେ କହିଛନ୍ତି ମୁଁ ମୋ ସାଙ୍ଗ ସହିତ ଚତୁର୍ଥ ମହଲାର ୪୦୨ ନମ୍ବର ରୁମରେ ରହୁଥିଲି। ତଳକୁ ଯିବାର କୌଣସି ରାସ୍ତା ନଥିଲା । ସେଥିପାଇଁ ମୁଁ ତୁରନ୍ତ ପୋଲିସ୍‌କୁ ଫୋନ କଲି। ତେବେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ୍‌ ବହୁତ ଡେରିରେ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ARPIT HOTEL-1

ଦିଲ୍ଲୀ ବୁଲାବୁଲି ପରେ ହରିଦ୍ୱାର ଯିବା ପାଇଁ ଚାହିଁଥିଲେ କେରଳର ଏକ ପରିବାର । ହେଲେ ଏହି ନିଆଁଲଗା ନିଆଁ ସବୁ ଖୁସିକୁ ଜଳାଇ ଦେଲା । ନିଜ ପରିବାରର ତିନି ଜଣଙ୍କୁ ଏହି ଦୁର୍ଘଟଣାରେ ହରାଇଥିବାର କେରଳର ପି.ସି. ସୋମଶେଖରନ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବା ପାଇଁ ଆସିଥିଲେ । ବାହାଘର ପରେ ବୁଲିବାର ପ୍ଲାନିଂ କରିଥିଲେ । ହେଲେ ଏହି ଦୁର୍ଘଟଣାରେ ସେ ହରାଇଛନ୍ତି ମା ନଳିନୀ ଆମ୍ମା, ଭଉଣୀ ଜୟଶ୍ରୀ ଏବଂ ଭାଇ ବିଦ୍ୟାସାଗରଙ୍କୁ । ସେମାନଙ୍କ ଶରୀର ଏତେ ମାତ୍ରାରେ ଜଳି ଯାଇଥିଲା ଯେ କାହାକୁ ଚିହ୍ନିବା ସମ୍ଭବ ହୋଇନଥିଲା। ନଳିନୀ ଏବଂ ଜୟଶ୍ରୀଙ୍କୁ ସେମାନେ ପିନ୍ଧିଥିବା ଅଳଙ୍କାର ଦୁଇ ହାତର ସୁନାଚୁଡ଼ି, ବେକର ଲକେଟ ଏବଂ ହାତର ମୁଦିରୁ ଚିହ୍ନିଥିଲେ ସୋମଶେଖରନ୍‌ ।

ARPIT HOTEL-3

ଜୀବନ ବଞ୍ଚାଇବା ପାଇଁ ହୋଟେଲରୁ ବାହାରକୁ ଯିବାପାଇଁ ଚେଷ୍ଟା କରୁଥିବା ଇନକମ ଟ୍ୟାକ୍ସର ଅଧିକାରୀ ସୁରେଶ କୁମାରଙ୍କର ମୃତ୍ୟୁ ହୋଇଯାଥିଲା। ସେ ଏହି ହୋଟେଲରେ କିଛି ମାସ ପୂର୍ବରୁ ରହୁଥିଲେ। ତାଙ୍କ ସହିତ କାମ କରୁଥିବା ଲୋକମାନେ କହିଥିଲେ ଯେ ଗତ ବର୍ଷ ଅଗଷ୍ଟ ମାସରୁ ସେ ଏହି ହୋଟେଲରେ ରହି ଆସୁଥିଲେ। ତେବେ ପଞ୍ଚକୁଲା ଅଞ୍ଚଳରେରେ ତାଙ୍କର ପୂରା ପରିବାର ରହୁଥିଲେ। ଏହି ହୋଟେଲରୁ ଅଫିସକୁ ଯାଉଥିଲେ। କେବଳ ଛୁଟିରେ ଘରକୁ ଯାଉଥିଲେ । ହେଲେ ଅକାଳରେ ଜୀବନ ଚାଲିଗଲା । ଶବ ବ୍ୟବଚ୍ଛେଦ ପରେ ତାଙ୍କର ମର ଶରୀର ଭଣଜା ଏବଂ ଭଉଣୀଙ୍କୁ ହସ୍ତାନ୍ତର କରାଯାଇଥିଲା ।

ନିଶ୍ଚିତ ପଢ଼ନ୍ତୁ: ଦିଲ୍ଲୀ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୫୦ରୁ ଊର୍ଦ୍ଧ୍ୱ ଘର

୫୮ବର୍ଷ ବୟସ୍କ ଦିଲ୍ଲୀପ ତ୍ରିବେଦୀ ଏଭଳି ପରିସ୍ଥିତିକୁ ନେଇ ପ୍ରଥମେ ହତବାକ୍‌ ହୋଇଯାଇଥିଲେ । ଗୁଜରାଟ ଅହମ୍ମଦାବାଦ ନିବାସୀ ଦିଲ୍ଲୀପ ନିଜକୁ ଭାଗ୍ୟଶାଳୀ ମନେକରନ୍ତି କି ସେ ଏଭଳି ପରିସ୍ଥିତିରୁ ବଞ୍ଚି ଯାଇଛନ୍ତି। ସେ ଅହମ୍ମଦାବାଦ ସ୍ଥିତ ଏକ କମ୍ପାନୀର ମାର୍କେଟିଙ୍ଗ ମ୍ୟାନେଜର ଅଛନ୍ତି। କମ୍ପାନୀ ହେଡ୍‌ ଅଫିସ ଦିଲ୍ଲୀରେ । ତେଣୁ ମଙ୍ଗଳବାର ଦିନ ହେଡ୍‌ ଅଫିସରେ ଏକ ମିଟିଂ ପାଇଁ ତାଙ୍କୁ ଡକା ଯାଇଥିଲା । ସେଥିଲାଗି ସେ ସକାଳେ ଅହମଦାବାଦରୁ ଦିଲ୍ଲୀ ଆସି ପହଞ୍ଚିଥିଲେ। ଏହି ଭୟାନକ ଦୁର୍ଘଟଣା ଘଟିଥିବା ଅର୍ପିତ ହୋଟେଲ ପାଖରେ ଥିବା ଅନ୍ୟ ଏକ ହୋଟେଲରେ ରୁମ୍‌ ବୁକ୍‌ କରିଥିଲେ । ତେବେ ସେହି ହୋଟେଲରେ ଜାଗା ନମିଳିବାରୁ ହୋଟେଲ ମ୍ୟାନେଜର ଅର୍ପିତ ହୋଟେଲରେ ତାଙ୍କର ରହିବାର ବ୍ୟବସ୍ଥା କରିଥିଲେ। ସବୁ କାମ ସାରି ସେ ଶୋଇ ଯାଇଥିଲେ । ତେବେ ଅଧ ରାତିରେ ଅଚାନକ ତାଙ୍କ ରୁମ୍‌ର ତାପମାତ୍ରା ବଢ଼ି ଯାଇଥିଲା ।

ନିଶ୍ଚିତ ପଢ଼ନ୍ତୁ: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ , ୨ ଆତଙ୍କବାଦୀ ନିହତ

ସେ ଉଠିପଡ଼ି ବାହାରକୁ ଆସି ସାରା ଅଞ୍ଚଳ ଧୂଆଁ ଖେଳି ଯାଇଥିବା ଦେଖିବାକୁ ପାଇଥିଲେ । କିଛି ଲୋକ ଡରିଯାଇ ଉପରକୁ ଦୌଡ଼ି ଯାଇଥିଲେ। ଧୂଆଁ ଯୋଗୁ ନିଶ୍ୱାସ ନେବା କଷ୍ଟକର ହୋଇପଡୁଥିଲା । ଦିଲୀପ କହିଥିଲେ ମୁଁ ଏତେ ଡରିଯାଇଥିଲି କି ଝରକାପଟେ ଡେଇଁ ଜୀବନ ବଞ୍ଚାଇଥିଲି। ସକାଳେ ପରିବାର ଟିଭିରେ ନ୍ୟୁଜ ଦେଖିବା ପରେ ଫୋନ କରିଥିଲେ ହେଲେ ମୋର ଫୋନ ହଜିଯାଇଥିବାରୁ ମୁଁ ପରିବାର ସହିତ ଯୋଗାଯୋଗ କରିପାରିନଥିଲି । ତେଣୁ ଘର ଲୋକେ ବହୁତ ଡରିଯାଇଥିଲେ । ପରେ ଅନ୍ୟ ଜଣକ ସାହାଯ୍ୟରେ ଫୋନ କରି ମୁଁ ଠିକ ଅଛି ବୋଲି କହିଥିଲି।

ମୋଟ୍‌ ୧୭ ଜଣ ମୃତକଙ୍କ ମଧ୍ୟରୁ ସମସ୍ତଙ୍କର ରହିଛି କିଛି ଭିନ୍ନ ଭିନ୍ନ କାହାଣୀ । ଯେଉଁମାନେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ସେମାନଙ୍କ ପାଇଁ ଆଜୀବନ ଅଭୁଲା ଲୋମ ଟାଙ୍କୁରା ସ୍ମୃତି ହୋଇ ରହିଗଲା ଅର୍ପିତ ହୋଟେଲ ଅଗ୍ନିକାଣ୍ଡ ।