ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା, ଫେବ୍ରୁଆରୀ ୫ରେ ପଡିବ ଭୋଟ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ପ୍ରେସ କନଫରେନ୍ସ ଜରିଆରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଫେବ୍ରୁଆରୀ ୫ରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆଜି ଘୋଷଣା ହୋଇଛି ତାରିଖ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ ।
ଦିଲ୍ଲୀରେ ତ୍ରୀମୁଖି ଲଢେଇ ହେବ । ଏଥିପାଇଁ ଆପ୍ ପ୍ରସ୍ତୁତି କରିସାରିଛି । ତୃତୀୟ ଥର କ୍ଷମତା ହାତେଇବାକୁ ଚେଷ୍ଟା କରିବ ଆପ୍ । ବ୍ଲୁ ପ୍ରିଣ୍ଟ ସହିତ ମଇଦାନକୁ ଓହ୍ଲାଇବ ବିଜେପି । ରାଜଧାନୀ ଦିଲ୍ଲୀରେ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।
ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୫ରେ ଶେଷ ହେବ । ଏହାପୂର୍ବରୁ ବିଧାନସଭା ଗଠନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ୨୦୨୦ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ଆମ ଆଦମୀ ପାର୍ଟି ବିଜୟ ପାଇଥିଲା ।
୨୦୨୦ରେ ଫେବୃଆରୀ ୨୦ରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହୋଇଥିଲା । ୨୦୧୫ ଓ ୨୦୨୦ ନିର୍ବାଚନରେ କ୍ଷମତା ଦଖଲ କରିଥିବା ଆପ ତୃତୀୟ ଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ୨୦୧୫ରେ ୬୭ ଓ ୨୦୨୦ରେ ୬୨ ସିଟ ଜିତିଥିଲେ ଅରବିନ୍ଦ କେଜ୍ରିୱାଲ । ଏକ ଅଙ୍କରେ ରହିଥିଲା ବିଜେପି । ଖାତା ଖୋଲିପାରିନଥିଲା କଂଗ୍ରେସ ।
ଏଥର ଦିଲ୍ଲୀର ସରକାର ବାଛିବେ ୧.୫୫ କୋଟି ଭୋଟର । ନିର୍ବାଚନ ଆୟୋଗ (EC) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଆୟୋଗଙ୍କ ମୁତାବକ, ଦିଲ୍ଲୀ ନିର୍ବାଚନରେ ଏଥର ମୋଟ ୧.୫୫ କୋଟିରୁ ଅଧିକ ଭୋଟର ରହିବେ । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୭୧,୭୩,୯୫୨ । ଏହିପରି ତୃତୀୟ ଲିଙ୍ଗଙ୍କ ସଂଖ୍ୟା ୧,୨୬୧ ରହିଛି ।