ପ୍ରତିବନ୍ଧକ ସତ୍ତ୍ୱେ ଦିଲ୍ଲୀବାସୀ ପ୍ରବଳ ଫୁଟାଇଲେ ବାଣ, ଧୂଆଁରେ ଅବସ୍ଥା ବେହାଲ୍, ‘ଅତି ଖରାପ’ ବର୍ଗରେ ବାୟୁ ଗୁଣାବତ୍ତା

ସାରା ଦେଶରେ ଲୋକମାନେ ଦୀପାବଳି ଉତ୍ସବ ବଡ଼ ଧୁମଧାମରେ ପାଳନ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ମଧ୍ୟ ଖୁବ୍ ଆତସବାଜି କରାଯାଇଛି । ବାଣ ଉପରେ ପ୍ରତିବନ୍ଧକ ସତ୍ତ୍ୱେ ଦିଲ୍ଲୀବାସୀ ଗୁରୁବାର ରାତିରେ ପ୍ରବଳ ମାତ୍ରାରେ ବାଣ ଫୁଟାଇଛନ୍ତି ।

ଆତସବାଜି କାରଣରୁ ଦିଲ୍ଲୀ ଆକାଶରେ ଧୂଆଁର ବାଦଲ ଛାଇଯାଇଛି । ବାଣ ଧୂଆଁ ଯୋଗୁ ବାୟୁ ଗୁଣାବତ୍ତା ‘ଅତି ଖରାପ’ ବର୍ଗରେ ପହଞ୍ଚିଛି । ଶୁକ୍ରବାର ସକାଳେ ନିଶ୍ୱାସ ନେବା ମଧ୍ୟ ଲୋକଙ୍କ ପାଇଁ ମୁସ୍କିଲ ହୋଇଯାଇଥିଲା । ଆଖିରେ ଜ୍ୱଳନ ଏବଂ ଗଳା କୁଣ୍ଡାଇ ହେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି ।

ରାତି ୧୦ଟା ବେଳେ ଦିଲ୍ଲୀର ବାୟୁ ଗୁଣାବତ୍ତା (AQI) ୩୩୦ ରେକର୍ଡ କରାଯାଇଥିଲା । ଏହି ସମୟରେ ଆନନ୍ଦ ବିହାର ସମେତ ମୁଖ୍ୟ ଅଞ୍ଚଳଗୁଡ଼ିକରେ AQI ‘ଗମ୍ଭୀର’ ଶ୍ରେଣୀରେ ରେକର୍ଡ କରାଯାଇଥିଲା । ଶୁକ୍ରବାର ସକାଳେ ଜାହାଙ୍ଗିରପୁରୀରେ ଏକ୍ୟୁଆଇ ଥିଲା ୪୧୭ । ଲୋନିରେ ୩୭୭, ପୁଠଖୁର୍ଦରେ ୩୭୦, ଇହବାସରେ ୩୫୭, ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ୩୫୬, ଅଲିପୁରରେ ୩୫୧, ଦ୍ୱାରକା ସେକ୍ଟରରେ ୩୪୭ AQI ରେକର୍ଡ କରାଯାଇଥିଲା ।

ଏହିପରି ମାଲବିୟା ନଗରରେ ୩୩୫, ଆନନ୍ଦ ବିହାରରେ ୩୩୧, ଅଶୋକ ବିହାରରେ ୩୨୪, କନଟ୍ ପ୍ଲେସରେ ୩୨୯, ଗ୍ରେଟର କୈଳାସରେ ୩୧୯, ରୋହିଣୀରେ ୩୩୯ ସମେତ ସମସ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣ ଗମ୍ଭୀର ବର୍ଗରେ ରେକର୍ଡ କରାଯାଇଥିଲା ।

ନ୍ୟାସନାଲ ଏୟାର କ୍ୱାଲିଟି ଇଣ୍ଡେକ୍ସର ତଥ୍ୟ ଅନୁସାରେ, ସକାଳ ୯ଟା ସୁଦ୍ଧା ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ AQI ୩୫୦ ଉପରେ ରହିଥିଲା । ସେପଟେ ବାଣ ବ୍ୟତୀତ ନଡ଼ା ଜଳାଇବା ଏବଂ ଯାନବାହନରୁ ବାହାରୁଥିବା ଧୂଆଁ ଯୋଗୁ ମଧ୍ୟ ସ୍ଥିତି ଖରାପ ହୋଇଯାଇଛି ।

ଦିଲ୍ଲୀ ସରକାର ବାଣ ଉପରେ ପ୍ରତିବନ୍ଧକ ଅନୁପାଳନ ନିମନ୍ତେ ୩୭୭ଟି ଟିମ୍ ଗଠନ କରିଥିଲେ । ଏହା ସହିତ ସଚେତନତା ଅଭିଯାନ ମଧ୍ୟ ଚଲାଯାଇଥିଲା । ଏହା ପରେ ବି ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଲୋକେ ପ୍ରବଳ ବାଣ ଫୁଟାଇଥିଲେ ।

You might also like