ଦିଲ୍ଲୀ ଡିଟିସି ବସ୍‌ରେ ବୋମା ଆତଙ୍କ, ଭୟରେ ଏଣେତେଣେ ଦୌଡିଲେ ଯାତ୍ରୀ

ଦିଲ୍ଲୀର ନାଙ୍ଗଲୋଇରେ ସେଣ୍ଟ୍ରାଲ ପାର୍କ ନଜଫଗଡ ରୋଡରେ ଡିଟିସି କ୍ଲଷ୍ଟର ବସରେ ବୋମା ଥିବା ଖବର ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ଏହାପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ମିଳିବା ପରେ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛି । ଏହାପରେ ଅଗ୍ନିଶମ ବିଭାଗ ଟିମ୍‌ ମଧ୍ୟ ପହଞ୍ଚିଛି ।

ବୋମା ସୂଚନା ମିଳିବା ପରେ ଯାଞ୍ଚ କରି ଡିସିପି ଆଉଟର ଜିମ୍ମି ଚିରାମ କହିଛନ୍ତି, ରାତି ୯.୫୩ ମିନିଟରେ ଏକ କଲ୍‌ ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି ରୁଟ ନମ୍ବର ୯୬୧ରେ ଏକ କ୍ଲଷ୍ଟର ବସରେ ସନ୍ଦିଗ୍ଧ ଜିନିଷ ରହିଛି । ଏହାପରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ଡକାଯାଇ ଯାଞ୍ଚ କରାଯାଇଥିଲା । ତେବେ ଘଟଣା ସ୍ଥଳରେ ବୋମା ଜାତୀୟ କିଛି ବି ଜିନିଷ ମିଳିନଥିଲା । ଏନଏସଜି ଟିମ୍‌ ଏବଂ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଦିଲ୍ଲୀ ପୋଲିସକୁ କଲ୍‌ କରିଥିବା ସବ୍‌ କଣ୍ଟକ୍ଟର ଦୀଓ୍ଵାନ ସିଂ କହିଛନ୍ତି, ନାଙ୍ଗଲୋଇରୁ ତିଲଙ୍ଗପୁର କୋଟଲାରେ ୧୦-୧୨ ଯାତ୍ରୀ ଓହ୍ଲାଇଥିଲେ । ଏହାପରେ ସିଟ୍‌ ତଳେ ବୋମା ଭଳି କିଛି ଜିନିଷ ଦେଖିବାକୁ ମିଳିଥିଲା । ଯାହାପରେ ବସ୍‌କୁ ଅଟକାଇ ଅନ୍ୟ ଯାତ୍ରୀଙ୍କୁ ତଳକୁ ଓହ୍ଲାଇ ପୋଲିସକୁ ସୂଚନା ଦେଇଥିଲି ।

ତେବେ ପୋଲିସ ଯାଞ୍ଚରେ କିଛି ବି ବୋମା ଭଳି ଜିନିଷ ପାଇନଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ପୋଲିସ ଘଟଣାର ଯାଞ୍ଚ କରୁଛି ।