ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା, ବର୍ଷାଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା
ଦିଲ୍ଲୀରେ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ସହାୟତା । ଗତ ଶୁକ୍ରବାର ସହରରେ ପ୍ରବଳ ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଥିଲା । ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ।
ମନ୍ତ୍ରୀ ଅତିଶୀ କହିଛନ୍ତି ଯେ ପ୍ରବଳ ବର୍ଷାରେ ଯେଉଁମାନଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ । ପୋଲିସ ସହାୟତାରେ ମୃତକମାନଙ୍କୁ ଚିହ୍ନଟ କରିବା ଏବଂ ସରକାରଙ୍କ ତରଫରୁ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଅତିରିକ୍ତ ମୁଖ୍ୟ ସଚିବ (ରାଜସ୍ୱ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅତିଶୀ ‘X’ରେ ଏକ ପୋଷ୍ଟରେ କହିଛନ୍ତି ଯେ ଦିଲ୍ଲୀରେ ଜୁନ୍ ୨୮ରେ ୨୪ ଘଣ୍ଟା ମଧ୍ୟରେ ୨୨୮ ମିଲିମିଟର ବର୍ଷା ପରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କ ନିକଟରେ କ୍ଷତିପୂରଣ ରାଶି ଯଥାଶୀଘ୍ର ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରବଳ ବର୍ଷା ଏବଂ ଏହା ପରବର୍ତ୍ତୀ ଜଳାର୍ଣ୍ଣବ ସ୍ଥିତିକୁ ନଜରରେ ରଖି ଦିଲ୍ଲୀ ଟ୍ରାଫିକ ପୋଲିସ ଓଖଲା ଅଣ୍ଡରପାସ୍କୁ ବନ୍ଦ କରିଦେଇଛି । ଅଣ୍ଡରପାସ୍ ଦେଇ ଯାତାୟାତ ସମ୍ପୂର୍ଣ୍ଣ ଭାବେ ନିଷେଧ ରହିଛି । ଗତ ଶନିବାର ଅଣ୍ଡରପାସରେ ବୁଡ଼ିଯାଇ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି ।
ଘଟଣାରେ ପୋଲିସ ସମ୍ବନ୍ଧିତ ଧାରାରେ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତେବେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହି ଅଣ୍ଡରପାସ୍ରୁ ଏ ପର୍ଯ୍ୟନ୍ତ ବର୍ଷାଜଳ ନିଷ୍କାସିତ ହୋଇପାରି ନାହିଁ ।
କହି ରଖୁଛୁ, ରାଜଧାନୀ ଦିଲ୍ଲୀରେ ଗତ ଶୁକ୍ରବାର ଓ ଶନିବାର ପ୍ରବଳ ବର୍ଷା ହେତୁ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।