କୋଚିଂ ସେଣ୍ଟର ନିୟନ୍ତ୍ରଣ ପାଇଁ ନୂଆ ଆଇନ ଆଣିବେ ଦିଲ୍ଲୀ ସରକାର, ଛାତ୍ରଛାତ୍ରୀଙ୍କଠାରୁ ନିଆଯିବ ପରାମର୍ଶ

ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ କେଜ୍ରିୱାଲ ସରକାର ତତ୍ପର ହୋଇଉଠିଛନ୍ତି । କୋଚିଂ ପ୍ରତିଷ୍ଠାନଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ନୂତନ ଆଇନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଆପ୍ ମନ୍ତ୍ରୀ ଆତିଶି କହିଛନ୍ତି ଯେ କୋଚିଂ ସେଣ୍ଟରକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ନୂତନ ଆଇନ ଆଣିବେ । ଏ ସମ୍ପର୍କରେ କୋଚିଂରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କଠାରୁ ମଧ୍ୟ ପରାମର୍ଶ ନିଆଯିବ ।
ଏମ୍ସିଡି ମେୟର ଶୈଲୀ ଓବରାୟ କହିଛନ୍ତି କି, ବେସ୍ମେଣ୍ଟରେ ଚାଲୁଥିବା କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦେଶ ଦିଆଯାଇଛି । ରାଜେନ୍ଦ୍ର ନଗର, ମୁଖାର୍ଜୀ ନଗର ଓ ପ୍ରୀତ ବିହାରରେ ଏ ପର୍ଯ୍ୟନ୍ତ ୩୦ଟି ବେସ୍ମେଣ୍ଟକୁ ସିଲ୍ କରାଯାଇଛି । ଅନେକ କୋଚିଂ ସେଣ୍ଟରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କହି ରଖୁଛୁ ଯେ ଗତ ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପରେ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ଏକ କୋଚିଂ ସେଣ୍ଟରରେ ପାଣି ପଶିଯାଇଥିଲା । ମାତ୍ର ୨-୩ ମିନିଟ୍ ମଧ୍ୟରେ କୋଚିଂ ସେଣ୍ଟରର ବେସ୍ମେଣ୍ଟରେ ପାଖାପାଖି ୧୦ରୁ ୧୨ ଫୁଟ୍ ଉଚ୍ଚର ପାଣି ଭରିଯାଇଥିଲା । ଏହି ସମୟରେ କୋଚିଂରେ ପଢ଼ୁଥିବା ୩ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏହି ମାମଲାରେ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଓ କୋ-ଅର୍ଡିନେଟରଙ୍କୁ ଗିରଫ କରିଛି ।