ଦିଲ୍ଲୀର ଭୁତ ବଙ୍ଗଳା : ଦୁଇ ଜଣ ମୁଖ୍ୟମନ୍ତ୍ରୀ ରହିବାକୁ ମନାକରିଥିଲେ, ଜଣେ ମନ୍ତ୍ରୀ ଜିଦ କରି ରହିଲେ ତ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଭୁତ ଅଛନ୍ତି କି ନାହିଁ, ଭୁତ କ୍ଷତି କରନ୍ତି କି ନାହିଁ ଭିନ୍ନ କଥା । ହେଲେ ଭୁତ ବଙ୍ଗଳା ନାମରେ ପରିଚିତ ଦିଲ୍ଲୀର ଶାମନାଥ ମାର୍ଗରେ ଥିବା ବଙ୍ଗଳା ନମ୍ବର ୩୩ ସମ୍ପର୍କରେ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଏହା ହେଉଛି ସେହି ବଙ୍ଗଳା, ଯେଉଁଠି ସମ୍ବାଦ ଓ ବିକାଶ ଆୟୋଗର ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଚାଲୁଥିଲା । ଏହାକୁ ଉପରାଜ୍ୟପାଳଙ୍କ ଆଦେଶ ପରେ ସିଲ କରି ଦିଆଯାଇଛି ।

ତେବେ ପ୍ରଥମ ଥର ପାଇଁ ଏହି ବଙ୍ଗଳାକୁ ନେଇ ବିବାଦ ହୋଇନାହିଁ, ପୂର୍ବରୁ ମଧ୍ୟ ବିବାଦ ହୋଇଛି । ସ୍ୱାଧୀନତା ପରଠାରୁ ଯିଏ ବି ଏଠାରେ ରହିଛନ୍ତି ବା ଯିଏ କାର୍ଯ୍ୟାଳୟ କରିଛନ୍ତି, ସେଠାରେ ବିବାଦ ସୃଷ୍ଟି ହୋଇଛି । ପୂର୍ବରୁ ଏଠାରେ ରହିଥିବା ଦୁଇ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର କାର୍ଯ୍ୟାକାଳ ପୁରଣ କରିପାରି ନାହାଁନ୍ତି ।

ବଙ୍ଗଳାରେ କ’ଣ ରହିଛି ସୁବିଧା

ଏହା ଶାମନାଥ ମାର୍ଗର ବଙ୍ଗଳା ନମ୍ବର ୩୩, ଯାହା ୫୫୦୦ ବର୍ଗ ମିଟର ଅଞ୍ଚଳ ପରିବ୍ୟାପ୍ତ । ଏହି ୨ ମହଲା ବଙ୍ଗଳାରେ ୩ ବେଡରୁମ୍‌, ଡ୍ରଇଙ୍ଗ ରୁମ୍‌, ଡାଇନିଂ ହଲ୍‌ ଓ କନଫରେନ୍ସ ରୁମ ରହିଛି । ବଙ୍ଗଳାରେ ଗାର୍ଡ ପାଇଁ ମଧ୍ୟ ଅଲଗା ଘର ଓ ଚାକରଙ୍କ ପାଇଁ ୧୦ କ୍ୱାଟର୍ସ ରହିଛି । ବଙ୍ଗଳାର ଚତୁପାର୍ଶ୍ୱରେ ରହିଛି ବଡ ଲନ୍‌ । ବଂଗଳାରେ ପାଣିର ଫଓ୍ଵାରା ବି ରହିଛି । ସ୍ୱାଧୀନତା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନ ପାଇଁ ସବୁଠୁ ଭଲ ଓ ସୁନ୍ଦର ସ୍ଥାନ ବୋଲି କୁହାଯାଏ । ଦିଲ୍ଲୀ ବିଧାନସଭା ଏଠାରୁ ମାତ୍ର ୧୦୦ ଗଜ ଦୂର ।

ଶୀଲା ଦୀକ୍ଷିତ ବଂଗଳାରେ ରହିବାକୁ ମନା କରିଥିଲେ

୧୯୫୨ ରେ ପ୍ରଥମ ମୁଖ୍ୟମନ୍ତ୍ରୀ ଚୌଧୁରୀ ବ୍ରହ୍ମ ପ୍ରକାଶ ଓ ୧୯୯୩ ରେ ମୁଖ୍ୟମନ୍ତ୍ରୀ ମଦନ ଲାଲ ଖୁରାନା ମଧ୍ୟ ଏଠାରେ ରହିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ହିଁ ପଦ ଛାଡିବାକୁ ପଡିଥିଲା । ମଦନଲାଲଙ୍କ ଆସନ ଯିବା ପରେ ଏହି ବଙ୍ଗଳାରେ କେହି ରହି ନଥିଲେ । ବଙ୍ଗଳା ଅଶୁଭ ବୋଲି ସବୁଆଡେ ପ୍ରଚାର ହୋଇଗଲା । ତେଣୁ ମୁଖ୍ୟମନ୍ତ୍ରୀ ହେବା ପରେ ଶୀଲା ଦୀକ୍ଷିତ ଓ ସାହବ ସିଂ ବର୍ମା ଏଠାରେ ରହିବାକୁ ନାହିଁ କରିଦେଲେ ।

ବଂଗଳାରେ ହେଲା ମୃତ୍ୟୁ

୨୦୦୩ ରେ ଦିଲ୍ଲୀର ତତ୍କାଳୀନ ମନ୍ତ୍ରୀ ଦୀପଚନ୍ଦ ବନ୍ଧୁ ନିଜର ସହଯୋଗୀଙ୍କ ପରାମର୍ଶକୁ ନଶୁଣି ଏହି ବଙ୍ଗଳାରେ ରହିଲେ । ସେ ଏହାକୁ ଅନ୍ଧ ବିଶ୍ୱାସ କହି ବଂଗଳାରେ ରହିବାକୁ ଲାଗିଲେ । ହେଲେ କିଛି ଦିନ ପରେ ସେ ରୋଗରେ ପଡିଲେ ଓ ତାଙ୍କର ମୃତ୍ୟୁ ହୋଇଗଲା । ଏହାପରେ ଅପ ପ୍ରଚାର ଆହୁରି ବଢ଼ିଗଲା ଯେ ବଂଗଲା ଅଶୁଭ ବୋଲି ।

ଏହାପରେ ୨୦୧୩ ରେ ଏଠାରେ ଶକ୍ତି ସିହ୍ନା ରହିଲେ । ହେଲେ ମାତ୍ର ୪ ମାସ ରହିବା ପରେ ସେ ମଧ୍ୟ ଦିଲ୍ଲୀ ସରକାରରୁ ଇସ୍ତଫା ଦେଲେ । ୨୦୧୫ ରେ ପୁଣି ଏହି ବଂଗଳାକୁ ଦିଲ୍ଲୀ ସମ୍ବାଦ ଓ ବିକାଶ ଆୟୋଗ କାର୍ଯ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ କେଜରୀଓ୍ଵାଲ ଘୋଷଣା କଲେ । ବଂଗଳାର କିଛି ପରିବର୍ତ୍ତନ ମଧ୍ୟ କରାଗଲା । ହେଲେ ଅଫିିସ ଚାଲିପାରିଲା ନାହିଁ ।

କିଛି ଦିନ ପରେ ଅଫିସର ଆଶୀଷ ଖେତାନ ମଧ୍ୟ ପଦରୁ ଇସ୍ତଫା ଦେଲେ । ସେବେ ଠାରୁ ଏହି ବଂଗଳା ଖାଲି ପଡି ରହିଛି । ବଂଗଳାକୁ ନେଇ ବହୁ ଅଜବ କଥା ଶୁଣିବାକୁ ମିଳିବା ପରେ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହାକୁ ସିଲ କରିଦିଆଯାଇଛି ।

Leave A Reply

Your email address will not be published.