ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍, ୭ ଦିନ ମଧ୍ୟରେ ଉତ୍ତର ଦେବ CBI
ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ମାମଲାରେ ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ନୋଟିସ ଜାରି କରିଛନ୍ତି । ୭ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ କୋର୍ଟ କହିଛନ୍ତି । ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା କରାଯାଇଥିବା ଗିରଫଦାରୀକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।
ସିବିଆଇ ଜୁନ୍ ୨୬ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଏବଂ କୋର୍ଟ ତାଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ । ରିମାଣ୍ଡ ଶେଷ ହେବା ପରେ କୋର୍ଟ ଏବେ କେଜ୍ରିୱାଲଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ରାଉସ୍ ଆଭେନ୍ୟୁର ସ୍ୱତନ୍ତ୍ର ସିବିଆଇ କୋର୍ଟ ଜୁନ୍ ୨୯ରେ କେଜ୍ରିୱାଲଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ତିହାର ଜେଲକୁ ପଠାଇଛନ୍ତି । ସିବିଆଇ ଏ ନେଇ ଏକ ଆବେଦନ କରିଥିଲା । କେଜ୍ରିୱାଲ ତଦନ୍ତରେ ସହଯୋଗ କରୁ ନ ଥିବା ସିବିଆଇ ନିଜ ଆବେଦନରେ ଅଭିଯୋଗ କରିଥିଲା ।
ସିବିଆଇ କହିଥିଲା ଯେ କେଜ୍ରିୱାଲ ଜାଣିଶୁଣି ମଦ ଦୁର୍ନୀତି ସହ ଜଡିତ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି । ଏହାସହ ସେ ନୂତନ ମଦ ନୀତିରେ ପ୍ରଫିଟ୍ ମାର୍ଜିନ୍ ୫ରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବାର କାରଣ ବିଷୟରେ ମଧ୍ୟ ଉତ୍ତର ଦେଇ ନାହାନ୍ତି । ସିବିଆଇ ପ୍ରଶ୍ନ କରିଛି ଯେ ଯେଉଁ ସମୟରେ ଦେଶରେ କରୋନାର ଦ୍ୱିତୀୟ ୱେଭ୍ ଚାଲିଥିଲା, ସେହି ସମୟରେ କ୍ୟାବିନେଟରେ ମଦ ନୀତି ପରିବର୍ତ୍ତନ କରିବା କ’ଣ ପାଇଁ ଆବଶ୍ୟକ ଥିଲା ?
କହି ରଖୁଛୁ, ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସିବିଆଇ ଗିରଫ କରିଛି । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟରୁ ଗିରଫ କରିଛି ସିବିଆଇ ଟିମ୍ । ଇଡି ପରେ ସିବିଆଇ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ, ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା । ଏହାପରଠୁ ସେ ତିହାର ଜେଲରେ ଅଛନ୍ତି । ଲୋକସଭା ନିର୍ବାଚନ ସମୟରେ କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ’ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ ।