ଦିଲ୍ଲୀରେ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ, ଏମରଜେନ୍ସି କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ଦିଲ୍ଲୀରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ପରେ ଜଳାର୍ଣ୍ଣବ ସ୍ଥିତି ଉତ୍ପନ୍ନ ହୋଇଛି । ଏହି କାରଣରୁ ବିଭିନ୍ନ ଜାଗାରେ ନାନା ଅବ୍ୟବସ୍ଥା ଦେଖାଦେଇଛି । ଏହାକୁ ନଜରରେ ରଖି ଉପରାଜ୍ୟପାଳ ଭି.କେ. ସକ୍ସେନା ଅଧିକାରୀମାନଙ୍କର ଏକ ଜରୁରୀ ବୈଠକ ଡକାଇଛନ୍ତି । ଜଳାର୍ଣ୍ଣବ ସମସ୍ୟାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ଅଧିକାରୀଙ୍କ ୨ ମାସର ଛୁଟି ବାତିଲ କରିଛନ୍ତି ।

ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା ଦିଲ୍ଲୀରେ ଘଣ୍ଟା ଘଣ୍ଟା ଧରି ବର୍ଷା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଅଧିକାରୀମାନଙ୍କୁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିବାକୁ ଏବଂ ଜଳାର୍ଣ୍ଣବ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ବରିଷ୍ଠ ଅଧିକାରୀମାନେ ଦିନରାତି ପରିଚାଳନା କରିବେ । ରାସ୍ତାରୁ ବର୍ଷା ଜଳ ହଟାଇବା ପାଇଁ ଷ୍ଟାଟିକ୍ ପମ୍ପ ଏବଂ ଫିଲ୍ଡ ଷ୍ଟାଫ୍ ମୁତୟନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଛୁଟିରେ ଥିବା ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଡ୍ୟୁଟିକୁ ଫେରିବାକୁ ଏଲ୍‌ଜି କହିଛନ୍ତି । ଆସନ୍ତା ଦୁଇମାସ ଯାଏ କୌଣସି ଛୁଟି ମଞ୍ଜୁର କରାଯିବା ଉଚିତ ନୁହେଁ । ବୈଠକରେ ଅଧ୍ୟକ୍ଷତା କରି ଉପରାଜ୍ୟପାଳ ରାଜଧାନୀରେ ପ୍ରସ୍ତୁତି ଏବଂ ଏମରଜେନ୍ସି ରେସ୍‌ପନ୍ସ ସିଷ୍ଟମ୍‌ ଅଭାବ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି ।

ଏଲ୍‌ଜି କହିଛନ୍ତି ଯେ ନାଳଗୁଡ଼ିକରୁ ଆବର୍ଜନା ନିଷ୍କାସନ କାର୍ଯ୍ୟ ଶେଷ ହୋଇନାହିଁ । ଏ ପର୍ଯ୍ୟନ୍ତ ବନ୍ୟା ନିୟନ୍ତ୍ରଣ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇ ନାହିଁ । ଆସନ୍ତା ସପ୍ତାହରେ ଆକସ୍ମିକ ଆଧାରରେ ଆବର୍ଜନା ନିଷ୍କାସନର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିବା ଏଲ୍‌ଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୈଠକରେ ଦିଲ୍ଲୀ ଜଳ ବୋର୍ଡ, ଲୋକ ନିର୍ମାଣ ବିଭାଗ, ମ୍ୟୁନିସିପାଲ କର୍ପୋରେସନ, ଦିଲ୍ଲୀ ବିକାଶ ପ୍ରାଧିକରଣ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବିଭାଗ ଏବଂ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।