ଦିଲ୍ଲୀ ଅଗ୍ନି ବିଭୀଷିକା: ଅଙ୍ଗାର ଭିତରୁ ଖୋଜା ଚାଲିଛି ମୃତ ଦେହ, ୩୦ ଟପିଲାଣି ମୃତକଙ୍କ ସଂଖ୍ୟା

ଦିଲ୍ଲୀ ମୁଣ୍ଡକାରେ ଅଗ୍ନି ବିଭୀଷିକା ପରେ ଅଙ୍ଗାର ଭିତରୁ ଖୋଜା ଚାଲିଛି ମୃତ ଦେହ। ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି। ଏବେ ବି ଅନେକ ନିଖୋଜ ଅଛନ୍ତି। ସମ୍ପର୍କୀୟଙ୍କୁ ବିକଳ ହୋଇ ଖୋଜୁଛନ୍ତି ଲୋକେ। ୩ ମହଲା ବିଲ୍‌ଡିଂ ସମ୍ପୂର୍ଣ୍ଣ ଜଳି ପୋଡ଼ି ଛାରଖାର ହୋଇଯାଇଛି। ଏହି ବିଲ୍‌ଡିଂରେ ଅନେକ ଘରୋଇ ସଂସ୍ଥାର ଅଫିସ ଥିଲା। ଏଣୁ ବହୁ ଲୋକ କାମ କରୁଥିଲେ। କିନ୍ତୁ ଅଗ୍ନିକାଣ୍ଡ ପରେ ଅନେକଙ୍କ ଖୋଜ ଖବର ମିଳୁନି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ମିଳିଥିବା ମୃତଦେହ ଭିତରୁ ଅନେକଙ୍କୁ ଚିହ୍ନଟ ହୋଇପାରୁନି। ଲୋକଙ୍କୁ ଚିହ୍ନିବାକୁ ଡିଏନ୍‌ଏ ଟେଷ୍ଟ ହେବ। ଏଥିପାଇଁ ଦିଲ୍ଲୀ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ହେଲ୍‌ପ ଡେସ୍କ ଗଠନ ହୋଇଥିବା ଜଣାଯାଇଛି।

ବିଲ୍ଡିଂରେ ଗୋଟିଏ ପ୍ରବେଶ ପଥ ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଏହି ବିଲ୍ଡିଂରେ ଆବଶ୍ୟକ ଅନୁମତି ନଥାଇ ଚାଲିଥିଲା ଏହି ବ୍ୟାବସାୟିକ ଅଫିସ। ଅଗ୍ନିଶମ ବିଭାଗ ପକ୍ଷରୁ ବି ଏନ୍‌ଓସି ମିଳିନଥିବା ଜଣାଯାଇଛି। ଏହି ପୂରା ଘଟଣାର ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ହେବ ବୋଲି ଘଟଣା ସ୍ଥଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ମୁଣ୍ଡ୍‌କା ମେଟ୍ରୋ ଷ୍ଟେସନ୍‌ ନିକଟରେ ଥିବା ଏହି ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା। ପୂରା ତିନି ମହଲାକୁ ଗିଳି ଦେଇଥିଲା ନିଆଁ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ପରେ ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲା। କିନ୍ତୁ ଭୟଙ୍କର ନିଆଁ ଓ ପ୍ରବଳ ଧୂଆଁ ଭିତରେ ଉଦ୍ଧାର କାର୍ଯ୍ୟ ଏତେଟା ସହଜ ହୋଇନଥିଲା।

Also Read: ପାଠ ଆଗ! ଅଧାରୁ ବାହାଘର ଛାଡ଼ି ପରୀକ୍ଷା ଦେବାକୁ କଲେଜରେ ପହଞ୍ଚିଲା କନ୍ୟା, ବାହାରେ ଅପେକ୍ଷା କଲା ବର; ଭାଇରାଲ ହେଉଛି ଭିଡିଓ

Leave A Reply

Your email address will not be published.