ଦିଲ୍ଲୀ କୋଚିଂ ସେଣ୍ଟରରେ ପାଣି ପଶିବା ଘଟଣା, କୋଚିଂ ସେଣ୍ଟରର ମାଲିକ ଏବଂ କୋ-ଅର୍ଡିନେଟର ଗିରଫ

ଦିଲ୍ଳୀର ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ଏକ କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ଭର୍ତ୍ତି ହେବା ଯୋଗୁଁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ପୋଲିସ ଏଫଆଇଆର ଦାୟର କରିଛି । ଭାରତୀୟ ନ୍ୟାୟ ସଂହିତା ଧାରା ୧୦୫, ୧୦୬(୧), ୧୫୨, ୨୯୦ ଏବଂ ୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହି ମାମଲାରେ କୋଚିଂ ସେଣ୍ଟରର ମାଲିକ ଏବଂ କୋ ଅର୍ଡିନେଟରଙ୍କୁ ଗିରଫ କରାଯାଇଛି । ମାମଲାରେ କୋଚିଂ ସେଣ୍ଟର ମ୍ୟାନେଜମେଣ୍ଟ, ସିଭିକ ଏଜେନ୍ସୀର ଲୋକ ଯାଞ୍ଚ ଦାୟରରେ ରହିଛନ୍ତି ।

ନବୀନ ଦଲୱାନି (୨୮), ତାନିଆ ସୋନି (୨୫) ଓ ଶ୍ରେୟା ଯାଦବ (୨୫)ଙ୍କ ମୃତ୍ୟୁ ହୋଇଛି । ଶ୍ରେୟା ଜୁନ/ଜୁଲାଇ ୨୦୨୪ରେ ଆଡମିଶନ ନେଇଥିଲେ । ଶ୍ରେୟାଙ୍କ ଘର ୟୁପିର ଆମ୍ବେଦକର ନଗରରେ ହୋଇଥିବା ବେଳେ ତାନିଆ ତେଲେଙ୍ଗାନା ଏବଂ ନବୀନ କେରଳ ଏର୍ଣ୍ଣାକୁଲମର ବାସିନ୍ଦା ଅଟନ୍ତି । ନବୀନ ଗତ ଆଠ ମାସ ହେଲା ସେ ପ୍ରସ୍ତୁତି କରୁଥିଲେ । ସେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିଲେ ।

ତେବେ ଯାଞ୍ଚରୁ ଜଣାପଡିଛି କି, କୋଚିଂ ସେଣ୍ଟରରେ ବେସମେଣ୍ଟରେ ଲାଇବ୍ରେରୀ ଥିଲା । ଲାଇବ୍ରେରୀରେ ୩୦ରୁ ୩୫ ପିଲା ଥିଲେ । ହଠାତ୍‌ ବେସମେଣ୍ଟରେ ପାଣି ପସିବା ଯୋଗୁଁ ପିଲାମାନେ ବେଞ୍ଚ ଉପରେ ଠିଆ ହୋଇଯାଇଥିଲେ । ପାଣି ପ୍ରେସରରେ ବେସମେଣ୍ଟରେ ଥିବା କାଚ ଫାଟିଥିଲା । ଫଳରେ ପିଲାମାନେ ଫସିଯାଇଥିଲେ । ଦଉଡି ସାହାଯ୍ୟରେ ପିଲାଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ମୃତ ୩ ଜଣ ଛାତ୍ରଙ୍କ ପତ୍ତା ନ ମିଳିବାରୁ ପୋଲିସକୁ ଖବର ଦିଆଯାଇଥିଲା । ତଳ ମହଲାଟି ଅନ୍ଧକାର ଥିବାରୁ ଛାତ୍ରମାନଙ୍କୁ ଉଦ୍ଧାର କରିବାରେ ବହୁ ଅସୁବିଧା ହୋଇଥିଲା ।

ଏପଟେ ଦିଲ୍ଲୀ ପୋଲିସର ଡିସିପି ହର୍ଷବର୍ଦ୍ଧନ କହିଛନ୍ତି, ବେସ୍ମେଣ୍ଟରେ ପାଣି କେମିତି ପଶିଲା, ତାହା ଜାଣିବା ପାଇଁ ଆମେ ତଦନ୍ତ କରୁଛୁ । ଏହି ଘଟଣାରେ ଏକ ଅପରାଧିକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରବଳ ବର୍ଷା ଯୋଗୁ ଶନିବାର ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯାଇଥିଲା । ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ଏକ କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ପଶି ଯାଇଥିଲା । ଏହି ସମୟରେ ସେଠାରେ ଏକ ଲାଇବ୍ରେରୀରେ ଥିବା କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନି ଜଣ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଜଣେ ସେମାନଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ଓ ଦୁଇ ଜଣ ଛାତ୍ରୀ ଅଛନ୍ତି।