ଧୂଆଁର ବହଳ ଆସ୍ତରଣରେ ରାଜଧାନୀ ଦିଲ୍ଲୀ, ରାତି ୧୦ଟା ଭିତରେ ବଢ଼ିଥିଲା ପ୍ରଦୂଷଣ ମାତ୍ରା

ଦିଲ୍ଲୀ(କେନ୍ଯୁଜ୍) : ଚଳିତବର୍ଷ ଦେଶର ରାଜଧାନୀ ଦିଲ୍ଲୀରେ କମ୍ ଫୁଟିଲା ବାଣ । ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁ ଏବର୍ଷ ଲୋକ ରାତି ୮ଟାରୁ ୧୦ ଯାଏଁ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇଥିଲେ । କିନ୍ତୁ ବଢ଼ିଥିଲା ପ୍ରଦୂଷଣ । ଧୂଆଁର ଏକ ବହଳ ଆସ୍ତରଣରେ ରାଜଧାନୀ ଘୋଡ଼ାଇ ହୋଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ରାସ୍ତାଘାଟରେ ସୃଷ୍ଟି ହୋଇଥିଲା କୃତ୍ରିମ କୁହୁଡ଼ିର ଆସ୍ତରଣ । ଆଜି ସକାଳ ପର୍ଯ୍ଯନ୍ତ ପ୍ରଦୂଷଣ ଛାଡ଼ି ନାହିଁ ।
ଗତକାଲି ଦିନ ବେଳା ଦିଲ୍ଲୀରେ ବାୟୁ ପ୍ରଦୂଷଣ ଖରାପରୁ ଅତି ଖରାପ ଶ୍ରେଣୀରେ ରହୁଥିଲା । ତେବେ ରାତି ୯ଟା ପରେ ଦିଲ୍ଲୀରେ ଉପରମୁହାଁ ହୋଇଥିଲା ବାୟୁ ପ୍ରଦୂଷଣର ପାରଦ । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ରିପୋର୍ଟ ଅନୁସାରେ ସନ୍ଧ୍ୟା ୭ଟା ପରେ ସ୍ଥିତି ଅଧିକ ବିଗିଡ଼ିଥିଲା । ଏୟାର କ୍ୱାଲିଟି ଇନଡେକ୍ସରେ ସନ୍ଧ୍ୟା ୭ଟା ସୁଦ୍ଧା ବାୟୁ ପ୍ରଦୂଷଣର ମାତ୍ରା ଥିଲା ୨୮୧ । ୮ଟା ବେଳକୁ ବୃଦ୍ଧି ପାଇ ୨୯୧ ଓ ୧୦ଟା ବେଳକୁ ଏହା ୨୯୬ରେ ପହଞ୍ଚିଥିଲା । ରାତି ୧୧ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ମାତ୍ରା ଛୁଇଁଥିଲା ୩୦୨ । ଚଳିତବର୍ଷ ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଲୋକ ବାଣ ଫୁଟାଇଥିଲେ ।