ମା’ ହେବା ଇଚ୍ଛାକୁ ପୂରଣ କରିବା ପାଇଁ ନଅ ମାସର ଶିଶୁକୁ ଚୋରି କଲେ ମହିଳା , ଧରାପଡିଲା ପରେ କଲେ ବଡ ଖୁଲାସା

ନୂଆଦିଲ୍ଲୀ : ନୂଆଦିଲ୍ଲୀର ସଂସଦ ମାର୍ଗ ଥାନା ପୋଲିସ୍ କୁ ମିଳିଛି ଏକ ବଡ ସଫଳତା । କୌଶଳ କ୍ରମେ ଏକ ନଅ ମାସର ଶିଶୁକୁ ଉଦ୍ଧାର କରି ନିଜ ପରିବାରକୁ ହସ୍ତାନ୍ତର କରିଛି ପୋଲିସ୍। ତେବେ ଏହି ଘଟଣାରେ ଫିରୋଜପୁରରୁ ଏକ ମହିଳା ଏକ ବ୍ୟକ୍ତିକୁ ଗିରଫ କରିଛି ପୋଲିସ୍।

ସୂଚନାଅନୁଯାୟୀ ଉକ୍ତ ଶିଶୁଟିକୁ ଦିଲ୍ଲୀରୁ ମହିଳା ଜଣଙ୍କ ଅପହରଣ କରି ଫିରୋଜପୁର ନେଇଯାଇ ଉକ୍ତ ବ୍ୟକ୍ତି ଜଣଙ୍କ ପାଖରେ ଛାଡିଆସିଥିଲେ । ସେହି ମହିଳା ଜଣଙ୍କ ବ୍ୟକ୍ତିଙ୍କ ସହିତ ପରିବାର ଗଢିବାକୁ ଚାହୁଁଥିଲେ । ତେବେ ଏଯାଏଁ ପିଲା ବିକାକିଣା ସମ୍ବନ୍ଧୀୟ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ ।

ତେବେ ଶିଶୁଟିର ପରିବାର ଏହି ଘଟଣା ପରେ ପୋଲିସ୍ କୁ ଧନ୍ୟବାଦ ଜଣାଇଛନ୍ତି । ସେହି ପରିବାରର ଏହି ଗୋଟିଏ ହିଁ ଶିଶୁ ପୁତ୍ର ଥିଲା । ପୋଲିସର କହିବା ଅନୁସାରେ ପୀଡିତ ପରିବାରରେ ମା ପୂଜା ବଂଗଲା ସାହେବ ଗୁରୁଦ୍ବାର ପାଖରେ ନିଜର ସ୍ବାମୀ, ସାତ ବର୍ଷର ଝିଅ ଏବଂ ୯ମାସର ପୁଅ ସହ ରହନ୍ତି । ସ୍ବାମୀ ଶ୍ରମିକ କାମ କରନ୍ତି । ତେବେ ପୂଜାଙ୍କ ପାଖକୁ ୧୯ ବର୍ଷୀୟ କାଜଲ ଓରଫ ସପ୍ନା ଦେଖାକରିବାକୁ ପ୍ରାୟତଃ ଆସେ । ଡିସେମ୍ବର ମାସ ଶେଷରେ କାଜଲ ପୂଜାଙ୍କ ଶିଶୁ ପୁତ୍ରକୁ ଖୁଆଇ ଦେଉଥିଲା । ଏବଂ ସୁଯୋଗ ପାଇ ଶିଶୁଟିକୁ ନେଇଯାଇଥିଲା ।

ଏହି ଘଟଣା ପରେ ପୂଜା କିଛି ଦିନ ନିଜ ସ୍ବାମୀଙ୍କ ସହ ମିଶି ଖୋଜାଖୋଜି କରିଥିଲେ । ଶେଷରେ ନିରାସ ହୋଇ ପୋଲିସ୍ ଷ୍ଟେସନରେ ଘଟଣା ସମ୍ପର୍କରେ ଜଣାଇଥିଲେ । ୨ ଜାନୁୟାରୀରେ ମାମଲା ରୁଜୁ ହେବାପରେ ପୋଲିସ୍ ଖୋଳତାଡ ଆରମ୍ଭ କରିଦେଇଥିଲା । ଯାଞ୍ଚ ସମୟରେ ଶିଶୁଟିକୁ ଅପହରଣ କରାଯାଇ ପଞ୍ଜାବର ଫିରୋଜପୁରରେ ରଖାଯାଇଥିବା ଜାଣିବାକୁ ପାଇଥିଲା ପୋଲିସ୍। ତେବେ କାଜଲକୁ ୪ ଜାନୁୟାରୀ ଦିନ ଆରକେ ଆଶ୍ରମ ମେଟ୍ରୋ ଷ୍ଟେସନରୁ ଗିରଫ କରିଥିଲା ପୋଲିସ୍ । କାଜଲ ଶିଶୁଟିକୁ ଅପହରଣ କରିଥିଲା ସ୍ବୀକାର କରିଥିଲା । ଏବଂ ସେ ଫିରୋଜପୁରରେ ଅଜିତ୍ ନାମକ ଏକ ୪୦ ବର୍ଷିୟ ବ୍ୟକ୍ତିକୁ ଶିଶୁଟିକୁ ଦେଇଥିବା କହିଥିଲା ।

ଏହାପରେ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଅଜିତକୁ ଗିରଫ କରିବା ସହ ଶିଶୁକୁ ଉଦ୍ଧାର କରିଥିଲା । ତେବେ କାଜଲ ପୋଲିସକୁ କହିଛି କି ଅଜିତ୍ ଓ ସେ ଉଭୟ ବିବାହ କରିଥିବା ବେଳେ ଉଭୟଙ୍କ କୌଣସି ସନ୍ତାନ ନଥିଲା । ଯାହାଫଳରେ ସେ ଶିଶୁଟିକୁ ଅପହରଣ କରି ଅଜିତ୍ ସହିତ ରହିବା ପାଇଁ ଚାହୁଁଥିଲା । କିନ୍ତୁ ଏଯାଏ କାଜଲ ଦେଇଥିବା ତଥ୍ୟର କୌଣସି ପ୍ରମାଣ ମିଳିନଥିବା ବେଳେ ପୋଲିସ୍ ସେମାନଙ୍କୁ ପଚରାଉଚରା ଜାରି ରଖିଛି ।