ଫେଲ ମାରିଲା ପାକିସ୍ତାନର ଷଡଯନ୍ତ୍ର, ସ୍ପେଶାଲ ସେଲ ହାତରେ ୬ ଆତଙ୍କୀ ଗିରଫ

ନୂଆଦିଲ୍ଲୀ : ଫେଲ ମାରିଲା ପାକିସ୍ତାନର ଷଡଯନ୍ତ୍ର । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ମିଳିଛି ବଡ ସଫଳତା । ସ୍ପେଶାଲ ସେଲ ଆଜି ଦିଲ୍ଲୀ, ରାଜସ୍ତାନ ଓ ୟୁପିରୁ ୬ ଜଣଙ୍କୁ ଗିରଫ କରିଛି । ଏମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଆଇଏସଆଇ ଓ ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ରଖିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନରୁ ଟ୍ରେନିଂ ନେଇଥିବା କଥା ବି ସାମ୍ନାକୁ ଆସିଛି । ଦିଲ୍ଲୀ ସ୍ପେଶାଲ ସେଲ ସମସ୍ତଙ୍କୁ ଗିରଫ୍ କରିବା ପରେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି ।

ଏମାନେ ସମସ୍ତେ ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ବଡ଼ ଧରଣର ହମଲା କରିବାକୁ ପ୍ରସ୍ତୁତ ହେଉଥିଲେ । ବିଶେଷ କରି ନବରାତ୍ରୀ ଓ ରାମଲୀଲା ଏମାନଙ୍କ ଟାର୍ଗେଟରେ ରହିଥିଲା । ସେହିପରି ଆସନ୍ତାବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ହେବ । ଏହାକୁ ମଧ୍ୟ ଆତଙ୍କୀମାନେ ଟାର୍ଗେଟ କରିବାକୁ ମସୁଧା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗିରଫ ଆତଙ୍କୀମାନେ ହେଲେ ମହାରାଷ୍ଟ୍ରର ଜନ ମହମ୍ମଦ ଶେଖ, ଦିଲ୍ଲୀର ଓସାମା ସାମି, ୟୁପିର ରାଏବରେଲୀର ଲାଲା, ୟୁପି ପ୍ରୟାଗରାଜର ଜୀଶାନ, ଲକ୍ଷ୍ନୌର ମହମ୍ମଦ ଅମୀର ଜାଭେଦ । ଓସାମା ଓ ଜୀଶାନ ପାକିସ୍ତାନରେ ଆତଙ୍କୀ ହମଲା ପାଇଁ ତାଲିମ ନେଇ ଏଠାକୁ ଆସିଥିଲେ ।

ସୂଚନା ମୁତାବକ ଦିଲ୍ଲୀ ସ୍ପେଶାଲ ସେଲ ଓ ୟୁପି ଏଟିଏସ ମିଳିତ ଭାବେ ପ୍ରୟାଗରାଜରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି । ପ୍ରୟାଗରାଜର କରେଲିରେ ଏମାନେ ଡେରା ପକାଇଥିଲେ । ଆତଙ୍କବାଦୀମାନେ ଦେଶର ବିଭିନ୍ନ ସହରରେ ଆକ୍ରମଣ କରିବାକୁ ଏକ ବଡ ଯୋଜନା କରିଥିଲେ । ଗୁଇନ୍ଦା ବିଭାଗରୁ ଏଭଳି ସୂଚନା ପାଇବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୟୁପି ଏଟିଏସ ସହାୟତାରେ ସେମାନଙ୍କୁ ଗିରଫ୍ କରିବାରେ ସଫଳ ହୋଇଛି ।

ଆତଙ୍କବାଦୀଙ୍କୁ ପଚରା ଉଚରା ବେଳେ ପୋଲିସକୁ କିଛି ବଡ ସୂଚନା ମିଳିଛି । ଆତଙ୍କବାଦୀମାନେ ପ୍ରୟାଗରାଜରେ ବିସ୍ଫୋରଣ କରିବା ସହ କିଛି ବଡ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା କଥା ଜଣାପଡିଛି । ପାକିସ୍ତାନର ଟ୍ରେନିଂ ନେଇଥିବା ୨ ଆତଙ୍କବାଦୀଙ୍କ ସଂପର୍କ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ଥିବା ଜଣାପଡିଛି । ଆଇଏସଆଇ ପୁରା ଯୋଜନାର ସହ ସେମାନଙ୍କୁ ଭାରତ ପଠାଇଥିବା କଥା ଅନୁମାନ କରାଯାଇଛି । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.