ରାଜଧାନୀ ପୋଲିସକୁ ବଡ ସଫଳତା: ଧରାପଡିଲା କୁଖ୍ୟାତ ଚୋର, ଚୋରି କରିଥିଲା ୫୦୦୦ ରୁ ଊର୍ଦ୍ଧ୍ୱ କାର୍‌

କାର୍‌ ଚୋରି କରିବା ଆପଣ ଶୁଣିଥିବେ, କିନ୍ତୁ ୫୦୦୦ କାର୍‌କୁ ଜଣେ ଚୋରି କରିଥିବା କଥା ହୁଏତ ଆପଣ କେବେ ବି ଶୁଣିନଥିବେ। ଏ ହେଉଛି ଏମିତି ଜଣେ ଚୋର, ଯିଏକି ଦେଶରେ ବେଶ୍‌ ଆତଙ୍କ ଖେଳାଇଥିଲେ। ୫ ହଜାରରୁ ଊର୍ଦ୍ଧ୍ୱ କାର୍‌ ଚୋରି କରି ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ରି କରିଦେଉଥିଲେ। ହେଲେ ପୋଲିସ ଏହି ଚୋରର ଟେର ବି ପାଉନଥିଲା। ହେଲେ ଏବେ ପୋଲିସ ହାବୁଡରେ ଧରାପଡିଛି କୁଖ୍ୟାତ ଚୋର। ଦିଲ୍ଲୀ ପୋଲିସକୁ ବଡ ସଫଳତା। ଦିଲ୍ଲୀ ପୋଲିସ ଦେଶର ସବୁଠାରୁ ବଡ କାର୍‌ ଚୋର ଅନିଲ ଚୌହ୍ଵାନଙ୍କୁ ଗିରଫ କରିଛି। ଅନିଲ ୨୭ ବର୍ଷ ମଧ୍ୟରେ ୫୦୦୦ରୁ ଊର୍ଦ୍ଧ୍ୱ ଗାଡି ଚୋରାଇଥିବା ଅଭିଯୋଗ ହୋଇଥିଲା। ଏହାଛଡା ଅନିଲଙ୍କ ଉପରେ ହତ୍ୟା, ଅସ୍ତ୍ରଶସ୍ତ୍ର ତସ୍କରୀ କରିବା ଭଳି ମାମଲା ରହିଛି।

ସୂଚନାନୁସାରେ, ସେଣ୍ଟ୍ରାଲ ଦିଲ୍ଲୀ ପୋଲିସ ସ୍ପେଶାଲ ଟିମ୍‌ ଅନିଲ ଚୌହ୍ଵାନଙ୍କୁ ଆସାମରୁ ଗିରଫ କରିଥିଲା। ଅନିଲ ଗତ ୨୭ ବର୍ଷ ହେଲାଣି ଅପରାଧ ଦୁନିଆ ସହିତ ଆକ୍ଟିଭ ରହିଥିଲେ। ୧୯୯୦ ଦଶକରେ ସବୁଠାରୁ ଅଧିକ ମାରୁତି ୮୦୦ କାର୍‌ ଚୋରି କରିଥିଲେ। ଅନିଲ ଚୋରି କରୁଥିବା କାରକୁ ଜମ୍ମୁ, ନେପାଳ ଏବଂ ଉତ୍ତର ପୂର୍ବ ରାଜ୍ୟରେ ବିକ୍ରି କରିଦେଉଥିଲେ।

ଅନିଲ ଚୌହ୍ଵାନ ଆସାମ ସରକାରରେ ପୂର୍ବରୁ ପ୍ରଥମ ଶ୍ରେଣୀର କଣ୍ଟ୍ରାକ୍ଟର ରହିଥିଲେ। ପରେ ତାଙ୍କ ବିରୋଧରେ ଇଡି ମାମଲା ଦାଏର କରିବା ପରେ ସବୁ ସମ୍ପତ୍ତି ଜବତ ହୋଥିଲା। ଏହା ପରେ ଏହି ସମ୍ପତ୍ତିକୁ ନିଲାମୀ କରିଦିଆଯାଇଥିଲା। ଏହାଛଡା ଅନିଲ ଚୌହ୍ଵାନ ମଧ୍ୟ ଗଣ୍ଡା ସିଙ୍ଘ ସ୍ମଗଲିଂ କରୁଥିଲେ। ଗିରଫ କରିବା ସମୟରେ ପୋଲିସ ତାଙ୍କ ପାଖରୁ ୬ଟି ଅବୈଧ ପିସ୍ତଲ, ୭ଟି କ୍ୟାଟ୍ରିଜ, ଗୋଟିଏ ଚୋରି ବାଇକ ଏବଂ କାର୍‌ ଜବତ କରିଛି।

ଅନିଲ ଚୌହ୍ଵାନ ୧୯୯୦ରେ ଦିଲ୍ଲୀର ଖାନପୁର ଅଞ୍ଚଳରେ ରହି ଅଟୋ ରିକ୍ସା ଚଲାଉଥିଲେ। ଏହା ପରେ ଅପରାଧ ଦୁନିଆ ସହିତ ଜଡିତ ହୋଇଥିଲେ। ପ୍ରଥମେ କାର ଚୋରାଇବା ଆରମ୍ଭ କରିଥିଲେ, ଆଉ ସେବେ ଠାରୁ ପଛକୁ ଫେରିନାହାନ୍ତି ଅନିଲ।
କାର ଚୋରି ବହୁତ ପଇସା କମାଇଥିଲେ ଅନିଲ। ତାଙ୍କ ସମ୍ପତ୍ତି ଦିଲ୍ଲୀ, ମୁମ୍ବାଇ ଏବଂ ଉତ୍ତର ପୂର୍ବ ରାଜ୍ୟରେ ରହିଥିଲା। ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ କେସ ଦାୟର କରିଥିଲା। ନିକଟ କିଛିଦିନରେ ମଧ୍ୟ ଅସ୍ତ୍ରଶସ୍ତ୍ର ତସ୍କରୀ କରୁଥିଲା ଅନିଲ।

ସୂଚନାଯୋଗ୍ୟ, ଆସାମ ପୋଲିସ ୭ ବର୍ଷ ପୂର୍ବେ ଅନିଲ ଚୌହ୍ଵାନଙ୍କୁ ଗିରଫ କରିଥିଲା। ସେତେବେଳେ ଆସାମ, ଦିଲ୍ଲୀ, ମହାରାଷ୍ଟ୍ର ସମତେ ଦେଶର ଅନେକ ରାଜ୍ୟରୁ ସାଢେ ଚାରି ହଜାରରୁ ଅଧିକ ଗାଡି ଚୋରାଇଥିବା ଅଭିଯୋଗ ରହିଛି। ଅନିଲଙ୍କୁ ପଚରାଉଚରା କରାଯିବାରୁ ସେ ୪୫୫୨ କାର ଚୋରାଇଥିବା କଥା ସ୍ୱୀକାର କରିଛି। ଅନିଲ ଚୌହ୍ଵାନର ନେଟଓ୍ଵାର୍କ ଦିଲ୍ଲୀ ଠାରୁ ଆରମ୍ଭ କରି ଆସାମ, ମହାରାଷ୍ଟ୍ର ପର୍ଯ୍ୟନ୍ତ ରହିଛି। ଅନିଲ ଉପରେ ସେତେବେଳେ ଦିଲ୍ଲୀ ଠାରୁ ଆରମ୍ଭ କରି ଆସାମ ପର୍ଯ୍ୟନ୍ତ ସାଢେ ତିନିହଜାର ମାମଲା ଦାୟର କରାଯାଇଥିଲା।

Also Read : କାବୁଲରେ ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.