ପ୍ରତାପ ଷଡଙ୍ଗୀ ଆହତ ହେବା ଘଟଣା, ରାହୁଲଙ୍କ ବିରୋଧରେ ରୁଜୁ ହେଲା ମାମଲା

ସଂସଦ ଭବନରେ ବାହାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ବଢ଼ିଲା ଅଡ଼ୁଆ । ଦୁଇ ବିଜେପି ସାଂସଦ ଆହତ ହେବା ଘଟଣାରେ ଶାସକ ଦଳର ଅଭିଯୋଗକ୍ରମେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଏହି ଘଟଣାରେ ସଂସଦରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି । ଗୃହରେ ଥିବା ଶିଡିରୁ ପଡ଼ିଯାଇଥିଲେ ପ୍ରତାପ । ସଂସଦରେ ଠେଲାପେଲା ବେଳେ ଜଣେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ି ଯାଇଥିଲେ । ସେ ସାଂସଦଙ୍କୁ କୁଆଡେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଠେଲି ଦେଲେ ବୋଲି ଅଭିଯୋଗ କରିଛନ୍ତି ପ୍ରତାପ । ରାହୁଲ ଗାନ୍ଧୀ ଠେଲି ଦେବାରୁ ସାଂସଦ ଜଣକ ତାଙ୍କ ଉପରେ ପଡିଗଲେ ବୋଲି ପ୍ରତାପ ଷଡଙ୍ଗୀ କହିଥିଲେ ।

ବର୍ତ୍ତମାନ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଅନ୍ୟଜଣେ ସାଂସଦ ମୁକେଶ ରାଜପୁତ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ଘଟଣାରେ କଂଗ୍ରେସ ସାଂସଦ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦାୟୀ କରି ପୋଲିସର ଦ୍ଵାରସ୍ଥ ହୋଇଥିଲା ଶାସକ ଦଳ ବିଜେପି । ଅଭିଯୋଗକ୍ରମେ ଭାରତ ନ୍ୟାୟ ସଂହିତାର ଏକାଧିକ ଧାରା ଅଧୀନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି । ଆଜି ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ନେତୃତ୍ଵରେ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀସ୍ଥିତ ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।

ଏଥି ସହିତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ଏବଂ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ବିବୃତ୍ତି ବିରୋଧରେ କଂଗ୍ରେସ ଆଜି ସାରା ଦେଶରେ ବିରୋଧ କରିବ । ଆଜି ସଂସଦ ଗୃହ କମ୍ପ୍ଲେକ୍ସରେ ବିଜେପି ମଧ୍ୟ ବିରୋଧ କରିବ ।