ହିଂସା ପରେ ଆକ୍ସନ୍‌ ମୁଡରେ ଦିଲ୍ଲୀ ପୋଲିସ୍‌: ୨୫ଟି ମାମଲା ରୁଜୁ, ୧୯ ଗିରଫ

ନୂଆଦିଲ୍ଲୀ : ହିଂସା ପରେ ଆକ୍ସନ୍‌ ଆରମ୍ଭ । ୨୫ଟି ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ୍‌ । ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ, ଭାରତୀୟ କିଷାନ ୟୁନିୟନ୍‌ ମୁଖପାତ୍ର ରାକେଶ ଟିକାୟତଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ଏଫଆଇଆର ହୋଇଛି । ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫଦାରୀ ସଂଖ୍ୟା ବଢ଼ିବ । ୨ ଶହରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।

ଦଙ୍ଗା କରିବା, ସର୍ବସାଧାରଣ ସଂପତ୍ତି ନଷ୍ଟ କରିବା ଓ ପୋଲିସ ଉପରେ ଆକ୍ରମଣ ଅଭିଯୋଗରେ ଅଟକ ରଖାଯାଇଛି । ମୁବାରକ ଚୌକ, ଗାଜିପୁର, ଅଇଟିଓ, ସୀମାପୁରୀ, ନାନ୍‌ଗ୍ଲୋଇ, ଟି-ପଏଣ୍ଟ, ଟିକ୍ରି ବର୍ଡର ଓ ଲାଲ୍‌କିଲ୍ଲାରେ ମୁଖ୍ୟତଃ ହିଂସା ହୋଇଛି । ଗାଜିପୁର, ସିଂଘୁ ଓ ଟିକ୍ରି ସୀମାରେ ବାରିକେଡ୍‌ ଭଂଗାଯାଇଥିଲା ।

ହିଂସାକାରୀଙ୍କୁ ଚିହ୍ନଟ ପାଇଁ ଫୋନ୍‌ କ୍ୟାମେରା, ସିସିଟିଭି ଓ ଡ୍ରୋନ୍‌ ଫୁଟେଜ୍‌ ଯାଂଚ କରୁଛି ଦିଲ୍ଲୀ ପୋଲିସ । କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରାଯାଉଛି। ହିଂସାକାଣ୍ଡରେ ୪୦୦ ପୋଲିସ କର୍ମଚାରୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ କମିଶନର ଏସଏନ୍‌ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଅନ୍ୟପଟେ ସଂସଦ ରାଲିକୁ ସ୍ଥଗିତ ରଖିଛନ୍ତି ଚାଷୀ ସଙ୍ଗଠନ ।

Leave A Reply

Your email address will not be published.