୫୦୦ କୋଟିର ଦୁର୍ନୀତି: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦିଲ୍ଲୀ ପୋଲିସର ସମନ

ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସମନ । HIBOX ଆପ୍‌ ଦୁର୍ନୀତିରେ ଦିଲ୍ଲୀ ପୋଲିସ ରିୟାଙ୍କୁ ସମନ ଜାରି କରିଛି । ଏହି ଆପ୍‌ ସହ ଜଡ଼ିତ ମାମଲାରେ ୫୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବାର ଖୁଲାସା ହୋଇଛି । ପୋଲିସ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ ସିବାରାମଙ୍କୁ ଗିରଫ କରିଛି । ଜଣାଶୁଣା ୟୁଟ୍ୟୁବର ଏଲ୍‌ଭିଶ ଯାଦବ ଓ କମେଡିଆନ୍‌ ଭାରତୀ ସିଂଙ୍କ ନାମ ମଧ୍ୟ ଏହି ଆପ୍‌ ସହ ଜଡ଼ିତ ।

ରିୟାଙ୍କ ନାମରେ ଅଭିଯୋଗ ରହିଛି ଯେ ସେ ବିଜ୍ଞାପନ ଜରିଆରେ ଲୋକଙ୍କୁ ଏହି ଆପ୍‌ରେ ନିବେଶ କରିବା ପାଇଁ ଉତ୍ସାହିତ କରିଥିଲେ । ମାମଲାରେ ପଚରାଉଚରା ପାଇଁ ଅଭିନେତ୍ରୀଙ୍କୁ ସମନ ପଠାଯାଇଛି । ଏହା ପୂର୍ବରୁ ପୋଲିସ ଏଲ୍‌ଭିଶଙ୍କ ସମେତ ୪ ଜଣ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ନୋଟିସ୍‌ କରିଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ କେହି ବି ପଚରାଉଚରା ପାଇଁ ଆସି ନ ଥିଲେ ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ର IFSO ୟୁନିଟ୍‌ HIBOX ମାମଲାରେ ଏଫ୍‌ଆଇଆର୍‌ ପଞ୍ଜିକୃତ କରିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଅକ୍ଟୋବର ୯ରେ ଦିଲ୍ଲୀର IFSO ଅଫିସ୍‌କୁ ରିୟା ଚକ୍ରବର୍ତ୍ତୀଙ୍କୁ ଡକାଯାଇଛି ।

୨୦୨୬ରେ ମାଷ୍ଟରମାଇଣ୍ଡ ସିବାରାମ ସବରୁଲ୍ଲା ଏକ୍ସପ୍ରେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ଆରମ୍ଭ କରିଥିଲେ । ଏହାପରେ ସେ HIBOX ଆପ୍‌ ଲଞ୍ଚ୍‌ କରିଥିଲେ । ସୂଚନା ମୁତାବକ, ଏହି ଆପ୍‌ ମାଧ୍ୟମରେ ପାଖାପାଖି ୩୦ ହଜାର ଲୋକଙ୍କ ସହିତ ଠକେଇ କରାଯାଇଛି । ଦୁର୍ନୀତିରେ ଅନେକ ଜଣାଶୁଣା ସେଲିବ୍ରିଟି ଏବଂ ହାଇ ପ୍ରୋଫାଇଲ ୟୁଟ୍ୟୁବର ମଧ୍ୟ ସମ୍ପୃକ୍ତ ଥିବାର କୁହାଯାଉଛି ।