ଦିଲ୍ଲୀରେ ସ୍କୁଲଗୁଡ଼ିକୁ କ୍ରମାଗତ ବୋମା ଧମକ ମିଳିଚାଲିଛି । ଏବେ ପୁଣିଥରେ କିଛି ସ୍କୁଲକୁ ଧମକ ମିଳିଥିବା ସୂଚନା ରହିଛି । ଦ୍ୱାରକା ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟକୁ ଶୁକ୍ରବାର ସକାଳେ ବୋମା ଧମକ ମିଳିବା ପରେ ଭୟର ବାତାବରଣ ଖେଳିଯାଇଛି ।
ଏହି ଘଟଣା ପରେ ଜରୁରୀ ରେସପନ୍ସ ଟିମକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ପରେ ଡଗ୍ ସ୍କ୍ୱାଡ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ସ୍କୁଲର ପ୍ରତ୍ୟେକ କୋଣକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ।
ଏହି ଧମକ ଯୋଗୁ ବିଦ୍ୟାଳୟର କ୍ଲାସଗୁଡ଼ିକୁ ବର୍ତ୍ତମାନ ଅନଲାଇନ୍ ମୋଡକୁ ଟ୍ରାନ୍ସଫର କରି ଦିଆଯାଇଛି । ଦିଲ୍ଲୀ ପୋଲିସ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଡଗ୍ ସ୍କ୍ୱାଡ ସହ ମିଶି ସ୍କୁଲ ପରିସରରେ ଯାଞ୍ଚ କରାଯାଉଛି । ଚଳିତ ସପ୍ତାହରେ ବୋମା ଧମକ ମିଳିବାର ଏହା ହେଉଛି ଦ୍ଵିତୀୟ ଘଟଣା । ଏହାପୂର୍ବରୁ ଡିସେମ୍ବର ୧୭ରେ ଦକ୍ଷିଣ ଦିଲ୍ଲୀ ଏବଂ ନର୍ଥ ୱେଷ୍ଟ୍ ଦିଲ୍ଲୀର ଦୁଇଟି ସ୍କୁଲକୁ ଧମକ ମିଳିଥିଲା ।
ଆଜି ଧମକ ମିଳିବା ପରେ ପୋଲିସ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ, ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ଡଗ୍ ସ୍କ୍ୱାଡ ପହଞ୍ଚି ବିଦ୍ୟାଳୟ ପରିସରରେ ଯାଞ୍ଚ କରିଥିଲେ । ତେବେ ଯାଞ୍ଚରେ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା । ସକାଳେ ଇ-ମେଲ ମାଧ୍ୟମରେ ବୋମା ଧମକ ମିଳିଥିବା ପୋଲିସ ସୂଚନା ଦେଇଛି ।
ସେପଟେ ବାରମ୍ବାର ଧମକ ମିଳୁଥିବାରୁ ଅଭିଭାବକ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି । କ୍ଲାସଗୁଡ଼ିକୁ ଅନଲାଇନ୍ ମୋଡରେ କରାଯାଉଛି । ଚଳିତ ମାସରେ ଚତୁର୍ଥ ଥର କୌଣସି ସ୍କୁଲକୁ ବୋମା ଧମକ ମିଳିଛି । ପୂର୍ବରୁ ମଧ୍ୟ ଏହିପରି ୪୦ରୁ ଅଧିକ ସ୍କୁଲକୁ ଏକକାଳୀନ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଦିନକୁ ଦିନ ମାମଲା ବଢ଼ୁଥିବାରୁ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି ।