କୁନି ଶୈତାନ୍ର କଳା କାରନାମା

ନୂଆଦିଲ୍ଲୀ : ବିଶ୍ୱାସ ହେଉନି । ଏମିତି କଣ ଘଟି ପାରେ ? ଜଣେ ପୁଅ ତା ବାପା, ମାଆ ଓ ଭଉଣୀଙ୍କୁ ଅତି ନିର୍ମମ, ନୃସଂଶ ଭାବେ ହତ୍ୟା କରି ପାରେ ? ହେଲେ ଘଟଣା ଘଟିଛି ବାସ୍ତବରେ । ଦିଲ୍ଲୀ ବସନ୍ତ କୁଞ୍ଜରେ ଗତ ବର୍ଷ ଅକଟୋବର ୧୦ ତାରିଖରେ ଘଟିଥିବା ଟ୍ରିପଲ ମର୍ଡ଼ରର ଖିଅ ପାଇଛି ପୋଲିସ୍ । ବେଶ୍ କିଛି ଦିନ ଭୁଆଁ ବୁଲିବା ପରେ ଧରିଛି ହତ୍ୟାକାଣ୍ଡର ଖଳନାୟକକୁ । ୧୯ ବର୍ଷର କିଶୋର ସୂରଜକୁ ।
ଗତ ଅକଟୋବର ୧୦ ତାରିଖ ସକାଳେ ବସନ୍ତ କୁଞ୍ଜ ସ୍ଥିତ ଫ୍ଲାଟ୍କୁ ଯେତେବେଳେ କାମ କରିବା ପାଇଁ କାମବାଲି ପହଞ୍ଚିଲା, ଦେଖିଲା ଘରର କବାଟ ଖୋଲା ଅଛି । ଭିତରେ ଯାହା ଦେଖିଲା ସେଥିରେ ତା ପାଟିରୁ ଚିତ୍କାର ବାହାରି ଆସିଲା । ଘର ଭିତରେ ଘର ମାଲିକ ମିଥିଲେଶ ଓ ମାଲିକାଣି ସିଆ ଏବଂ ଝିଅ ନେହାଙ୍କ ମୃତ ଦେହ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲା । ଆହତ ଅବସ୍ଥାରେ ପଡ଼ି ରହିଥିଲା ପୁଅ ସୂରଜ । ବିଜୁଳି ବେଗରେ ଖବର ପ୍ରଚାରିତ ହୋଇଗଲା । ପୋଲିସ୍ ଆସିଲା ତଦନ୍ତ ଆରମ୍ଭ ହେଲା । ସୂରଜକୁ ପୋଲିସ୍ ହସପିଟାଲରେ ଭର୍ତ୍ତି କଲା । ତାର ବୟାନ୍ ଥିଲା ଯେ ଦୁଇ ଜଡ ଦୁର୍ବୃତ୍ତ ଘରେ ପଶି ଏଭଳି କାଣ୍ଡ ଘଟାଇ ବାଲକୋନୀ ବାଟରେ ପଳାଇ ଗଲେ ।
ହେଲେ ତଦନ୍ତରୁ ଏଭଳି କିଛି ସୁରାକ୍ ପାଇଲା ନାହିଁ ପୋଲିସ୍ । ବହୁତ ଗୋଳେଇ ଘାଣ୍ଟି ହେଲା । ଶେଷରେ ଜଣାପଡ଼ିଲା ଯେ ହତ୍ୟାକାଣ୍ଡ ଘଟାଇଛି ନିଜେ ସୂରଜ । ଆଉ ପୋଲିସ୍କୁ ଭୁଆଁ ବୁଲାଇବା ପାଇଁ କାହାଣୀ ଗଢ଼ିଛି । ପୋଲିସ୍ ଏବେ ଏହି ଚାର୍ଜସିଟ୍ ଦାଖଲ କରିଛି ପଟିୟାଲା ହାଉସ୍ କୋର୍ଟରେ ।
ସୂରଜ ଏଭଳି କଲା କାହିଁକି ? ନିଜ ଜନ୍ମକଲା ବାପ ମାଆଙ୍କୁ ଓ ଏକମାତ୍ର ଭଉଣୀକୁ ମାରିଲା କାହିଁକି ? କିଭଳି ଏ ଯୁବ ସୁଲଭ ମନରେ ଆସିଲା ଏଭଳି ଭୟଙ୍କର ଷଡ଼ଯନ୍ତ୍ର ?
ପୋଲିସ୍ ସୂଚନା ଅନୁଯାୟୀ, ଏହି କିଶୋର ବୟସରେ ସୂରଜ ଭୁଲ ବାଟରେ ଚାଲୁଥିଲା । ଦୁଃସଙ୍ଗରେ ପଡ଼ି ନିଶା ଖାଇବାରେ ଅଭ୍ୟସ୍ତ ହୋଇଯାଇଥିଲା । ଆଉ ସ୍ୱାଧୀନ ଭାବେ ନିଜ ଇଚ୍ଛାରେ ରହିବାକୁ ଚାହୁଁଥିଲା । ପୋଲିସ୍ କହିଛି ଯେ ସୂରଜ ପ୍ରାୟ ୮/୧୦ ଜଣ ସାଙ୍ଗଙ୍କ ସହ ମହୋରୌଲିରେ ଏକ ଫ୍ଲାଟ୍ ନେଇଥିଲେ । ସମସ୍ତେ ମିଶି ଭଡ଼ା ଦେଉଥିଲେ ଓ ନିଜ ଇଚ୍ଛାରେ ଅନେକ କିଛି ଅଏସ୍ କରୁଥିଲେ ।
ସେଠାକୁ ଯବତୀମାନେ ମଧ୍ୟ ଆସୁଥିଲେ । ଏ କଥା ବାପା ମିଥିଲେଶଙ୍କ କାନରେ ପଡ଼ିବା ପରେ ସେ ସୂରଜକୁ ଅନେକ ଥର ମାରପିଟ୍ କରିଥିଲେ । ଅଏସ୍ ବାଟରେ ବାପା ହେଲେ ପ୍ରତିବନ୍ଧକ । ତେଣୁ ପ୍ରଥମେ ସେ ଟାର୍ଗେଟ୍ କରିଥିଲା ବାପାଙ୍କୁ । ହେଲେ ଶେଷ ମୁହୂର୍ତ୍ତରେ ମା ଓ ଭଉଣୀଙ୍କୁ ବି ମାରି ଦେଲା ।
ଘଟଣା ଦିନ ରାତିରେ ସମସ୍ତେ ଖାଇ ପିଇ ଶୋଇବାକୁ ଯାଇଥିଲେ । କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଏମିତି କିଛି ଅଘଟଣ ଘଟିବ । ହେଲେ ସୂରଜ ଆଗରୁ ପ୍ରସ୍ତୁତ ଥିଲା । ଛୁରୀ ଧରି ପ୍ରଥମେ ବାପା ଓ ପରେ ମା ଏବଂ ଭଉଣୀଙ୍କୁ ଆକ୍ରମଣ କରିଥିଲା । ବିଶ୍ୱାସ ହେଉ ନଥିଲେ ବି ଏଭଳି ନୃସଂଶ ନରହନ୍ତା ପାଲଟି ଯାଇଥିଲା ସୂରଜ । ଥରେ ନୁହେଁ ସେମାନେ ମଲା ପର୍ଯ୍ୟନ୍ତ ନିର୍ଦ୍ଦୟ ଭାବରେ ଛୁରୀ ମାରି ଚାଲିଥିଲା । ପରେ ନିଜେ ହାତ କାଟି ଆହତ କରିଥିଲା ନିଜକୁ । ପୁଣି ଦୁଆର ଖୋଲା ରଖି ଦେଇଥିଲା ।
ପୋଲିସ୍ ପ୍ରଥମେ ଚକମା ଖାଇଗଲା । ପରେ ସୂରଜର ବୟାନ୍ ଓ ଘଟଣା ସ୍ଥଳର କିଛି କଥା ଭିତରେ ମେଳ ନଖାଇବାରୁ ସନ୍ଦେହରେ ବାରମ୍ବାର ଜେରା କଲା । ଶେଷରେ ନିଜ ଦୋଷ ସ୍ୱୀକାର କରି ନେଇଥିଲା ସୂରଜ । ଆଉ ଏବେ ଜେଲ୍ରେ ଏହି କୁନି ଶୈତାନ୍ ।
Mithlesh Verma, his wife & daughter attacked by knife. 4th member of family was present in house; has injury in finger. Nothing missing from locker. Kitchen knife is weapon of offence. 8 teams conducting probe:Joint Commissioner on Vasant Kunj triple murder case. #Delhi pic.twitter.com/GCmnS9eQAy
— ANI (@ANI) 10 October 2018