ହସ୍ପିଟାଲର ICUରେ ଭର୍ତ୍ତି ହେଲେ ଦିଲ୍ଲୀ ମନ୍ତ୍ରୀ ଅତିଶୀ, ଅନଶନ ବେଳେ ୩୬କୁ ଖସିଲା ସୁଗାର ସ୍ତର
ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ମାର୍ଲେନା । ସୋମବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଏଲ୍ଏନ୍ଜେପି ହସ୍ପିଟାଲର ଆଇୟୁସି ଓ୍ଵାର୍ଡରେ ଅଛନ୍ତି । ଅତିଶୀ ଗତ ଶୁକ୍ରବାରରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ପାଣି ସତ୍ୟାଗ୍ରହ ଅନଶନରେ ବସିଛନ୍ତି ।
ଆମ୍ ଆଦ୍ମୀ ପାର୍ଟି କହିଛି ଯେ ଅତିଶୀଙ୍କର ବ୍ଲଡ୍ ସୁଗାର ସ୍ତର ମଧ୍ୟରାତ୍ରିରେ ୪୩କୁ ହ୍ରାସ ପାଇଥିଲା ଏବଂ ପରେ ରାତି ୩ଟା ବେଳେ ୩୬କୁ ଖସି ଆସିଥିଲା । ତାଙ୍କର ସୁଗାର ସ୍ତର ଏଭଳି ଚିନ୍ତାଜନକ ଭାବେ ହ୍ରାସ ପାଇବା ପରେ ହସ୍ପିଟାଲର ଡାକ୍ତରମାନେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଅତିଶୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏଏପି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏ ନେଇ ଏକ ଭିଡିଓ ସେୟାର କରିଛି । ଏଥିରେ ମେଡିକାଲ କର୍ମଚାରୀମାନେ ମନ୍ତ୍ରୀଙ୍କୁ ଆମ୍ବୁଲାନ୍ସରେ ନେଇଯାଉଥିବାର ଦେଖାଯାଉଛି । ଡାକ୍ତର ଅତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କହିଛନ୍ତି ଯେ ତାଙ୍କ ପରିସ୍ରାରେ କେଟୋନ୍ ମିଳିଛି । ତାଙ୍କୁ ଆଇସିୟୁରେ ରଖାଯାଇଛି । ଗତକାଲି ମଧ୍ୟ ଆମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥିଲୁ । କିନ୍ତୁ ସେ ମନା କରି ଦେଇଥିଲେ । ସୁଗାର ସ୍ତର ମଧ୍ୟ କମିଯାଇଛି । ସମସ୍ତ ରକ୍ତ ପରୀକ୍ଷା ରିପୋର୍ଟ ନର୍ମାଲ ଆସିଛି । ବର୍ତ୍ତମାନ ସେ ଠିକ୍ ଅଛନ୍ତି ।
ଏଏପି ଲେଖିଛି ଯେ ଜଳ ମନ୍ତ୍ରୀ ଅତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ତାଙ୍କର ବ୍ଲଡ୍ ସୁଗାର ସ୍ତର ମଧ୍ୟରାତ୍ରିରେ ୪୩ ଏବଂ ରାତି ୩ଟାରେ ୩୬କୁ ଖସି ଆସିଥିଲା । ଏହାପରେ ଡାକ୍ତରମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ । ଗତ ୫ ଦିନ ହେବ ସେ କିଛି ମଧ୍ୟ ଖାଉନାହାନ୍ତି । ହରିୟାଣାରୁ ଦିଲ୍ଲୀର ଜଳ ଅଂଶ ମୁକ୍ତ କରିବାକୁ ଦାବି କରି ଅତିଶୀ ଆମରଣ ଅନଶନରେ ବସିଛନ୍ତି ।