ମହାକୁମ୍ଭରେ ଦିଲ୍ଲୀର ପୁଅକୁ ବିବାହ କଲେ ଗ୍ରୀସ୍ ଝିଅ, ମହାମଣ୍ଡଳେଶ୍ୱର କଲେ କନ୍ୟା ଦାନ

ଉତ୍ତର ପ୍ରଦେଶ : ପ୍ରୟାଗରାଜରେ ଚାଲିଛି ହିନ୍ଦୁ ଧର୍ମର ଭବ୍ୟ ମେଳା ‘ମହାକୁମ୍ଭ- ୨୦୨୫’। ଗତ ୧୬ ଦିନରେ, ୧୩ କୋଟି ଲୋକ ବୁଡ଼ ପକାଇସାରିଛନ୍ତି । ହେଲେ ଏହାରି ମଧ୍ୟରେ ସମସ୍ତ ପ୍ରକାରର ଧାର୍ମିକ ରୀତିନୀତି ମଧ୍ୟରେ ଏକ ବିବାହ ମଧ୍ୟ ସମ୍ପନ୍ନ ହୋଇଯାଇଛି । ଯେଉଁଠାରେ ଗ୍ରୀସର ଜଣେ ଝିଅ ଦିଲ୍ଲୀର ଜଣେ ପୁଅଙ୍କୁ ବିବାହ କରିଛନ୍ତି । ଗ୍ରୀସ୍ରୁ ପ୍ରୟାଗରାଜ ଆସିଥିବା ପେନେଲୋପ୍ ଜାନୁଆରୀ ୨୬ ତାରିଖରେ ତାଙ୍କ ପ୍ରେମିକ ସିଦ୍ଧାର୍ଥ ଶିବ ଖନ୍ନାଙ୍କୁ ବିବାହ କରିଛନ୍ତି ।
ଏହି ଅବସରରେ ପ୍ରୟାଗରାଜର ସାଧୁ ସନ୍ଥମାନେ ସେମାନଙ୍କ ବିବାହର ସାକ୍ଷୀ ହେବା ସହିତ ସମସ୍ତ ହିନ୍ଦୁ ରୀତିନୀତି ଅନୁସାରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଜୁନା ଅଖାଡ଼ାର ମହାମଣ୍ଡଳେଶ୍ୱର ଯତୀନ୍ଦ୍ରାନନ୍ଦ ଗିରି ପେନେଲୋପ୍ଙ୍କ କନ୍ୟାଦାନ କରିଥିଲେ।
ସେପଟେ ପେନେଲୋପ୍ ତାଙ୍କ ବିବାହକୁ ନେଇ ଗଣମାଧ୍ୟମରେ କହିଛନ୍ତି ଯେ, ସେ ନିଜର ମାଆଙ୍କ ସହ ମହାକୁମ୍ଭ ମେଳା ଦର୍ଶନ ପାଇଁ ଗ୍ରୀସ୍ରୁ ପ୍ରୟାଗରାଜ ଆସିଥିଲେ ଏବଂ ମେଳା ଆରମ୍ଭ ହେବା ଦିନଠାରୁ ହିଁ ସେ ପ୍ରୟାଗରାଜରଠାରେ ଅଛନ୍ତି । ହିନ୍ଦୁ ରୀତିନୀତିରେ ସେ ଦିଲ୍ଲୀର ସିଦ୍ଧାର୍ଥଙ୍କୁ ବିବାହ କରିବା ପରେ ସେ ବହୁତ ଖୁସି ଅଛନ୍ତି । ସନାତନ ଧର୍ମ ହେଉଛି ଏକ ସୁଖୀ ଜୀବନଯାପନ, ଜନ୍ମ ଏବଂ ପୁନର୍ଜନ୍ମର ଏହି ଚକ୍ରରୁ ଆଗକୁ ଯିବାର ଏକମାତ୍ର ଉପାୟ ବୋଲି ପେନେଲୋପ୍ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ଜାନୁଆରୀ ୨୯ ତାରିଖରେ ମୌନୀ ଅମାବାସ୍ୟା ଦିନ ସେ ସଙ୍ଗମରେ ବୁଡ଼ ପକାଇବେ ।
ସିଦ୍ଧାର୍ଥ ମଧ୍ୟ ଏହି ବିବାହକୁ ନେଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ‘ପେନେଲୋପ୍ ଏବଂ ମୁଁ ଏହି ବିବାହକୁ ନେଇ ବହୁତ ଖୁସି ଅଛୁ । ଏହା ଆମମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ । ଆମେ ଅନେକ ଦିନରୁ ଆମର ବିବାହକୁ ମନେ ରଖିଲା ଭଲି କିଛି ଯୋଜନା କରୁଥିଲୁ, ସେଥିପାଇଁ ଆମେ ମହାକୁମ୍ଭରେ ଜାନୁଆରି ୨୬ ତାରିଖରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ ।
ଦୁହେଁ କିପରି ଭେଟିଲେ?
ପେନେଲୋପ୍ ଏଥେନ୍ସସ୍ଥିତ ଏକ ବିଶ୍ୱବିଦ୍ୟାଳୟରୁ ପର୍ଯ୍ୟଟନ ପରିଚାଳନାରେ ସ୍ନାତକ ହାସଲ କରିଥିଲେ। ତା’ପରେ ପର୍ଯ୍ୟଟନ ପରିଚାଳନାରେ ଡିଗ୍ରୀ ହାସଲ କରିବା ପରେ ଯୋଗ ପ୍ରତି ତାଙ୍କର ପ୍ରବୃତ୍ତି ବୃଦ୍ଧି ପାଇଥିଲା । ଯେଉଁଥିପାଇଁ ସେ ଏକ ସ୍ଥାନୀୟ ଜିମ୍ରେ ଯୋଗ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ । ଅନ୍ୟପଟେ, ନୂଆଦିଲ୍ଲୀର ପଶ୍ଚିମ ପଞ୍ଜାବୀ ବାଗର ବାସିନ୍ଦା ସିଦ୍ଧାର୍ଥ ଶିବ ଖାନ୍ନା ଜଣେ ଯୋଗ ପ୍ରଶିକ୍ଷକ ଥିଲେ । ୯ ବର୍ଷ ପୂ ର୍ବେ ଯେତେବେଳେ ପେନେଲୋପ୍ ଯୋଗ ଶିଖିବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ, ସେଠାରେ ସେ ସିଦ୍ଧାର୍ଥଙ୍କୁ ଭେଟିଥିଲେ । ଯାହା ପରେ ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହେବା ଏବଂ ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହାପରେ ଦୁହେଁ ବିବାହ କରିବାକୁ ସ୍ଥିର କରିବା ସହିତ ନିଜ ଜୀବନକୁ ସବୁଦିନ ପାଇଁ ଏକାଠି ବିତାଇବାକୁ ନିଷ୍ପତି ନେଇଥିଲେ ।
ପେନେଲୋପ୍ କହିଛନ୍ତି ଯେ, ବିବାହର ନିଷ୍ପତ୍ତି ନେବା ପରେ ସିଦ୍ଧାର୍ଥ ତାଙ୍କୁ କେଉଁଠାରେ ବିବାହ କରିବେ ବୋଲି ପଚାରିଥିଲେ? ଏହା ଉତ୍ତରରେ ସେ ଭାରତରେ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଏହା ପରେ ସେ ପ୍ରୟାଗରାଜ ମହାକୁମ୍ବକୁ ଆସି ସିଦ୍ଧାର୍ଥଙ୍କୁ ହିନ୍ଦୁ ରୀତିନୀତି ଉପାୟରେ ବିବାହ କରିଛନ୍ତି ।