ଘୋଷଣା ହେଲା ନୋବେଲ୍ ଶାନ୍ତି ପୁରସ୍କାର, ଜାଣନ୍ତୁ କିଏ ଏହି ଶାନ୍ତିଦୂତ

କଙ୍ଗୋର ସ୍ତ୍ରୀ ରୋଗ ବିଶେଷଜ୍ଞ ଡେନିସ୍‌ ମୁକେଓ୍ଵଗେ । ଇରାକ୍‌ର ୨୫ ବର୍ଷୀୟ ସାମାଜିକ କର୍ମୀ ନାଦିଆ ମୁରାଦ୍‌ । ଚଳିତବର୍ଷ ପାଇଁ ନୋବେଲ୍‌ ଶାନ୍ତି ପୁରସ୍କାର ପାଇବେ । ଏ ଦୁହିଁଙ୍କ ନାଁରେ ମୋହର ମାରିଛି ନରେୱର ଓସ୍‌ଲୋ ନୋବେଲ କମିଟି । ଯୌନ ହିଂସାକୁ ଶେଷ କରିବା କ୍ଷେତ୍ରରେ ଏମାନେ କାମ କରିଥିଲେ । କଙ୍ଗୋ ଯୁଦ୍ଧ ବେଳେ ଦୁଷ୍କର୍ମର ଶିକାର ହୋଇଥିବା ହଜାର ହଜାର ମହିଳାଙ୍କୁ ଅସ୍ତ୍ରୋପଚାର କରି ଜୀବନଦାନ ଦେଇଛନ୍ତି ଡେନିସ୍‌ । ସେହିପରି ନାଦିଆ ମୁରାଦ ଦୁଷ୍କର୍ମ ବିରୋଧରେ ଜନଜାଗରଣ ସୃଷ୍ଟି କରିଥିଲେ । ଉଲ୍ଲେଖନୀୟ କାମ ପାଇଁ ସେମାନଙ୍କୁ ନୋବେଲ ଶାନ୍ତି ପାଇଁ ମନୋନୀତ କରାଯାଇଛି ।

nobel prizeକଙ୍ଗୋର ବୁକାଭୁ ସହର ସ୍ଥିତ ପାଞ୍ଜି ହସ୍ପିଟାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ ଡେନିସ୍‌ ମୁକେଓ୍ଵଗେ । ଯୁଦ୍ଧ ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ମହିଳାଙ୍କୁ ଚିକିତ୍ସା କରୁଥିଲେ । ହଜାର ହଜାର ପୀଡ଼ିତାଙ୍କ ଅସ୍ତ୍ରୋପଚାର କରି ମରଣ ମୁହଁରୁ ବଞ୍ଚାଇଥିଲେ ଡେନିସ୍‌ । ୧୮ ଘଣ୍ଟା ଭିତରେ ପାଖାପାଖି ୧୦ ଜଣ ପୀଡ଼ତାଙ୍କ ଅସ୍ତ୍ରୋପଚାର କରୁଥିଲେ ।

nadia muradସେହିପରି ନାଦିଆ ମୁରାଦଙ୍କ ଜୀବନକାହାଣୀ ବେଶ ସଂଘର୍ଷମୟ ଓ କଷ୍ଟଦାୟକ । ଇରାକରେ ତିନି ମାସ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀଙ୍କ ପାଖରେ ଦେହଜୀବୀ ଭାବରେ ବନ୍ଧକ ରହିଥିଲେ । ବିଭିନ୍ନ ସମୟରେ ତାଙ୍କୁ ଆତଙ୍କବାଦୀ ସଂଗଠନ ଅନ୍ୟକୁ ବିକ୍ରି ବି କରିଥିଲେ । ୨୦୧୪ରେ ଆଇଏସ୍‌ ଆତଙ୍କବାଦୀଙ୍କ କବଳରୁ ଖସି ଆସିଥିଲେ ନାଦିଆ । ଜୀବନଯୁଦ୍ଧରେ ହାରି ନଯାଇ ଧର୍ଯ୍ଯର ସହ ଆଗକୁ ବଢ଼ିଥିଲେ । ମହିଳା ଓ ମାନବ ଚାଲାଣ ବିରୋଧରେ ଆରମ୍ଭ କରିଥିଲେ ଅଭିଯାନ । ନିର୍ଯ୍ଯାତିତଙ୍କୁ ଆଶାର କିରଣ ଦେଖାଉଛନ୍ତି । ବଞ୍ଚିବାର ନୂଆ ରାହା ଦେଉଛନ୍ତି ନାଦିଆ ।

ଚଳିତବର୍ଷ ନୋବେଲ୍‌ କମିଟି ପାଖରେ ୩୩୧ ବ୍ୟକ୍ତି ଓ ସଂସ୍ଥାଙ୍କ ତାଲିକା ରହିଥିଲା । ସେଥିରେ ରହିଥିଲା ୨୧୬ ବ୍ୟକ୍ତି ବିଶେଷ ଓ ୧୧୫ଟି ସଂଗଠନର ନାଁ ।

You might also like