ଆସାମରେ ବନ୍ୟା ବିଭୀଷିକା! ୨ ଲକ୍ଷ ଲୋକ ପ୍ରଭାବିତ; ୮ ଜଣଙ୍କ ମୃତ୍ୟୁ…ଦେଖନ୍ତୁ ଭୟଙ୍କର ବନ୍ୟାର କିଛି ଫଟୋ

ଆସାମରେ ମୁଷଳଧାରାରେ ବର୍ଷା ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ରାଜ୍ୟର ୨୦ଟି ଜିଲ୍ଲାରେ ପାଖାପାଖି ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେପଟେ ପ୍ରାୟ ୨୨୨ରୁ ଅଧିକ ଗାଁ ବନ୍ୟା ଘେରରେ ରହିଛି। ଏଥି ସହିତ ଅନେକ ଗାଁରେ ଭୂସ୍ଖଳନ ମଧ୍ୟ ହୋଇଛି। ଏ ପର୍ଯ୍ୟନ୍ତ ୮ ଜଣ ଲୋକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ବନ୍ୟାରେ କଚ୍ଛାର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ତେବେ ରିପୋର୍ଟ ମୁତାବକ, ୩୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚା ଯାଇଛି।

aasaam
photo: onmanorama

ରାଜ୍ୟର ବିଭିନ୍ନ ଅଞ୍ଚଳ ସହିତ ଦିମା ହସାଓ ପାର୍ବତ୍ୟ ଜିଲ୍ଲାର ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇ ପଡ଼ିଛି। କଚ୍ଛାର ଜିଲ୍ଲାରେ ପ୍ରବଳ ବନ୍ୟା ଯୋଗୁ ୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥି ପୂର୍ବରୁ ଭୂସ୍ଖଳନ ଯୋଗୁ ଦିମା ହସାଓରେ ୩ ଜଣଙ୍କର ପ୍ରାଣହାନି ଘଟିଥିଲା। ତେବେ ବନ୍ୟା ବିଭୀଷକାରେ ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାସ୍ତା ଏବଂ ରେଳ ଧାରଣାଗୁଡ଼ିକ ପାଣିରେ ବୁଡ଼ି ଯାଇଥିବା ବେଳେ ଯାନବାହନ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ହଠାତ୍‌ ବନ୍ୟା ମାଡ଼ି ଆସିବାରୁ ମଝି ରାସ୍ତାରେ ଅନେକ ଟ୍ରେନ ଅଟକି ରହିଥିଲା, ଯାହା ପରେ ପ୍ରାୟ ୧୧୯ରୁ ଅଧିକ ରେଳ ଯାତ୍ରୀଙ୍କୁ ବାୟୁସେନା ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ସେନାକୁ ବି ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

floods
photo: Times of India

ଆସାମର କଚ୍ଛାର ଜିଲ୍ଲା ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରିପୋର୍ଟ ଅନୁସାରେ, ଏଠାରେ ୧୩୮ ଗାଁରେ ପାଖାପାଖି ୪୧ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଘରଦ୍ୱାର ଭାସି ଯାଇଥିବା ପ୍ରାୟ ୧୬୮୫ ଲୋକ ବନ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି। ଏଥି ସହିତ ଜିଲ୍ଲାର ୨ ହଜାରରୁ ଅଧିକ ଏକର ଫସଲରେ ବନ୍ୟା ପାଣି ମାଡ଼ି ଯାଇଛି। ସେପଟେ ସ୍ଥାନୀୟ କୋପଲୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଶଙ୍କା କରାଯାଉଛି ଯେ ନଦୀର ଜଳସ୍ତର ୨୦୦୪, ଜୁଲାଇ ୨୦ର ନିଜର ଉଚ୍ଚତମ ସ୍ତର ୬୧.୭୯ ମିଟରକୁ ବି ପାର୍‌ କରି ଯାଇଛି।

asaam
photo: NDTV.com

ଆସାମର ହୋଜାଇ, ଲଖିମ୍‌ପୁର ଏବଂ ନୌଗାଁ ଜିଲ୍ଲାରେ ମଧ୍ୟ ରାସ୍ତାଘାଟ, ଗାଡ଼ିଆ, ପୋଖରୀ, ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହି ବନ୍ୟା ଯୋଗୁ ହଜାର ହଜାର ଜୀବଜନ୍ତୁ ବି ପ୍ରଭାବିତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ଖବର ରହିଛି। ତେବେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ୧୭ଟି ଟ୍ରେନକୁ ରଦ୍ଦ କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.