ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ଼ନାଭିସ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ନାଟକୀୟ ମୋଡ଼। ରାଜ୍ୟରେ ସରକାର ଗଠନ କଲା ବିଜେପି-ଏନସିପି ମେଣ୍ଟ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାଭିସ। ଏନସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟରେ ଏକମାସ ଧରି ଚାଲିରହିଥିବା ମହାଡ୍ରାମା କଡ଼ ଲେଉଟାଇଛି।

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ ନେଇ ସହମତି ଏକରକମ ଚୂଡ଼ାନ୍ତ ହୋଇସାରିଥିବା ବେଳେ ହଠାତ ଏଥିରେ ପରିବର୍ତ୍ତନ ହୋଇଛି। ସକାଳ ୮ଟାରେ ସରକାର ଗଠନ କଲା ବିଜେପି -ଏନସିପି ମେଣ୍ଟ। ନୂଆ ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଜେପି- ଏନସିପି ମେଣ୍ଟ ନିରନ୍ତର ଭାବେ ମହାରାଷ୍ଟ୍ରର ଉଜ୍ୱଳ ଭବିଷ୍ୟତ ପାଇଁ କାମ କରିବେ ବୋଲି ସେ ଟ୍ଵିଟରେ ଜଣାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ନୂଆ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି।

ବିଜେପି ପାଖରେ ୧୧୩ ବିଧାୟକ ଓ ଏନସିପି ପାଖରେ ୫୪ ବିଧାୟକଙ୍କ ସମର୍ଥନ ମିଳିଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶିବସେନା ଉପରେ ବର୍ଷିଛନ୍ତି ଦେବେନ୍ଦ୍ର ଫଡ଼ନଭିସ। ମହାରାଷ୍ଟ୍ରବାସୀ ସେମାନଙ୍କୁ ବହୁମତ ଦେଇଛନ୍ତି । କିନ୍ତୁ ଶିବସେନା ଅନ୍ୟଦଳମାନଙ୍କ ସହ ମିଶି ସରକାର ଗଠନରେ ବିଳମ୍ବ କରିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ମହାରାଷ୍ଟ୍ର ପାଇଁ ଖେଚୁଡ଼ି ସରକାର ନୁହେଁ, ସ୍ଥିର ସରକାର ଆବଶ୍ୟକ ବୋଲି ସେ କହିଛନ୍ତି। ଏହାସହ ଏନସିପି ସ୍ଥିର ସରକାର ପାଇଁ ସହଯୋଗ କରିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଫଳାଫଳ ଦିନଠାରୁ କୌଣସି ଦଳ ସରକାର ଗଠନ ପାଇଁ ସ୍ଥିତିରେ ନଥିଲେ। ଚାଷୀ ସମସ୍ୟା ସହ ରାଜ୍ୟରେ ଅନେକ ସମସ୍ୟା ରହିଛି। ତେଣୁ ଏକ ସ୍ଥିର ସରକାର ପାଇଁ ଏନସିପି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.