ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ, ଯୋଗ ଦେବେ ୭୦ରୁ ଅଧିକ ଭିଭିଆଇପିଙ୍କ ସହିତ ୪୦୦ରୁ ଅଧିକ ସାଧୁସନ୍ଥ

ମହାରାଷ୍ଟ୍ରରେ ଆଜି ମହାୟୁତି ସରକାର ଗଠନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ । ତାଙ୍କୁ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଫଡନାବିସଙ୍କ ସହ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ସଂଧ୍ୟା ସାଢେ ୫ଟାରେ ମୁମ୍ବାଇର ଆଜାଦ ମୈଦାନ ଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଶପଥ ସମାରୋହରେ ଅମିତ ଶାହ, ଜେପି ନଡ୍ଡା ସମେତ ଅନେକ ମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବେ । ୭୦ ଭିଭିଆଇପିଙ୍କ ସହିତ ୪୦୦ରୁ ଅଧିକ ସାଧୁସନ୍ଥ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ସମାରୋହକୁ ଐତିହାସିକ କରିବା ପାଇଁ ୪୦ ହଜାରରୁ ଅଧିକ ଲୋକ ଆଜାଦ ମଇଦାନରେ ପହଞ୍ଚିପାରନ୍ତି । ତେଣୁ ୩,୫୦୦ ପୋଲିସ କର୍ମୀ, ୫୨୦ ଅଫିସର, ଷ୍ଟେଟ ରିଜର୍ଭ ପୋଲିସ ଫୋର୍ସର ଏକ ପ୍ଲାଟୁନ, କ୍ବିକ୍ ରେସପନ୍ସ ଟିମ୍, କମ୍ପାଟ ଟିମ୍, ଡେଲଟା ଟିମ୍, ବୋମା ନିଷ୍କ୍ରିୟ ସ୍କ୍ବାର୍ଡ ନିୟୋଜିତ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗୃହ, ଶିଳ୍ପ, ନଗରଉନ୍ନୟନ, PWD ମନ୍ତ୍ରୀ ପଦ ପାଇଁ ଶିବସେନା ଲବି କରୁଛି । ପୂର୍ବରୁ ଶିବସେନା ପାଖରେ ଯେଉଁ ୯ଟି ମନ୍ତ୍ରୀ ପଦ ଥିଲା ସେସବୁ ମନ୍ତ୍ରୀ ପଦକୁ ବଜାୟ ରଖିବା ପାଇଁ ଦଳ ଚାହୁଁଛି । ସେହିପରି ଅଜିତ ପାୱାରଙ୍କ ଏନସିପିକୁ ୮ରୁ ୧୦ଟି ମନ୍ତ୍ରୀ ପଦ ମିଳିପାରେ । ଏନସିପିକୁ କୃଷି, ସମବାୟ, ଖାଦ୍ୟ ଓ ଯୋଗାଣ, ଜଳସେଚନ, ସମାଜିକ ନ୍ୟାୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି । ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡନଭିସ। ପୂର୍ବରୁ ୨୦୧୪ ଓ ୨୦୧୯ରେ ସେ ମୁଖ୍ଯମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।