ଭାରତରେ ସମସ୍ତେ ନିଜ ନିଜ ଢ଼ଙ୍ଗରେ ଭଗବାନଙ୍କୁ ମାନନ୍ତି । ଭଗବାନଙ୍କୁ ମାନିବା ସହିତ ବିଶ୍ୱାସରେ ପ୍ରସାଦ ବି ସେବନ କରୁ। ହେଲେ କିଛି ଲୋକ ଭକ୍ତିରେ ଏତେ ବିଭୋର ଯେ ସେମାନେ କ’ଣ କରୁଛନ୍ତି ତାହା ମଧ୍ୟ ଜାଣିପାରନ୍ତି ନାହିଁ । କେତେକ ଲୋକ ତ ଏମିତି ଅନ୍ଧ ଭଳି ମାନନ୍ତି ଯେ ଅନ୍ଧବିଶ୍ୱାସକୁ ମାନି ନିଅନ୍ତି। ଯେଉଁଥିପାଇଁ ଅନେକ ସମୟରେ ସେମାନେ ଅସୁବିଧାରେ ବି ପଡନ୍ତି। ଏଇ ଯେମିତି ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନରୁ ଗୋଟେ ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ଏକଦମ୍ ଚକିତ ହୋଇଯିବେ । ଆପଣ ଦେଖିପାରୁଥିବେ କିଛି ଲୋକ ବାଙ୍କେ ବିହାରୀଙ୍କ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖି ଏହାକୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବି ସେବନ କରୁଛନ୍ତି । ପୁଣି ଏତେ ଗହଳି ଲାଗିଛି ଯେ ଅନ୍ୟ ଲୋକ ବି ଚାଲିବା କଷ୍ଟ ହେଇଯାଉଛି । ସେହି ପାଣିକୁ ପିଇବା ପାଇଁ ଲୋକେ ଯେମିତି ଠେଲାପେଲା ହେଉଛନ୍ତି । ହେଲେ ବାସ୍ତବରେ ସେ ପାଣି କି ପାଣି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ।
ଆଜ୍ଞା ଏମାନେ ଯେଉଁ ପାଣିକୁ ବାଙ୍କେ ବିହାରୀଙ୍କ ଚରଣାମୃତ ବୋଲି ଭାବି ଭକ୍ତିରେ ପିଉଛନ୍ତି ବାସ୍ତବରେ ତାହା ହେଉଛି ମନ୍ଦିର ଭିତରେ ଲାଗିଥିବା ଏସିର ପାଣି । ଏହି ଭିଡିଓରେ କିଛି ଲୋକ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖିଥିଲେ। ଏହାକୁ ସେମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବୁଛନ୍ତି। କିଛି ଲୋକ ସେମାନଙ୍କୁ ମଧ୍ୟ କହୁଛନ୍ତି ଯେ ଏହା ଚରଣାମୃତ ନୁହେଁ, ବରଂ ଏସିର ଡିସଚାର୍ଜ ଜଳ । ଏହା ସତ୍ତ୍ୱେ ମଧ୍ୟ ସେମାନେ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଏପରିକି ଏହି ପାଣିକୁ ସେମାନେ କପ୍ ଏବଂ ଅନ୍ୟାନ୍ୟ ପାତ୍ରରେ ସଂଗ୍ରହ କରି ଘରକୁ ନେଇଯାଉଛନ୍ତି। ଏ ଦୃଶ୍ୟକୁ ଦେଖି ଲାଗୁଛି ଯେମିତି ଦୁନିଆଟା ପୂରା ଦେଖାସିଖାରେ ଚାଲିଛି । ଯିଏ ଯାହା କଲେ ତା ପଛେ ପଛେ ସବୁ କରିଚାଲିଥିବେ ସେମିତି । କେହି ଏହାର ଗଭୀରତା ଭିତରକୁ ପସନ୍ତିନାହିଁ ।
କହବାକୁ ଚାହିଁବୁ ଯେ ମଥୁରା-ବୃନ୍ଦାବନରେ ବାଙ୍କେ ବିହାରୀଙ୍କ ମନ୍ଦିର ବହୁତ ପୁରୁଣା। ବର୍ଷା ଜଳ ନିଷ୍କାସନ ପାଇଁ ମନ୍ଦିରର ପ୍ରଥମ ମହଲାରେ ଡ୍ରେନ୍ ଅଛି । ଏହି ଡ୍ରେନଗୁଡ଼ିକର ମୁଖ ହାତୀର ମୁଖ ପରି। ମନ୍ଦିରରେ ଏସି ମଧ୍ୟ ଲଗାଯାଇଛି । ତେଣୁ, ଏସିରୁ ନିର୍ଗତ ଜଳ ଏହି ଡ୍ରେନ୍ ମାଧ୍ୟମରେ ବାହାର କରାଯାଏ । ତେବେ ମନ୍ଦିରକୁ ଭଗବାନଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତ ଜଳକୁ ବାଙ୍କେ ବିହାରୀଙ୍କ ଚରଣାମୃତ କହିବା ଆରମ୍ଭ କରିଥିଲେ। ତାଙ୍କୁ ଦେଖି ଅନ୍ୟ ଭକ୍ତମାନେ ମଧ୍ୟ ପ୍ରାର୍ଥନା କରିବା ଆରମ୍ଭ କଲେ। ସେବେଠାରୁ ଏହା ଏକ ପରମ୍ପରା ହୋଇଗଲା ।
ବର୍ତ୍ତମାନ, ବାଙ୍କେ ବିହାରୀ ଜୀଙ୍କର ଦର୍ଶନ ପାଇଁ ଯାଉଥିବା ଭକ୍ତ ଏହି ଜଳକୁ ଚରଣାମୃତ ବୋଲି ଭାବି ସେବନ କରନ୍ତି। ଅନେକ ସମୟରେ ଲୋକମାନେ ଏହି ଜଳକୁ ଏକ କପ୍, କିମ୍ବା ଅନ୍ୟ ପାତ୍ରରେ ସଂଗ୍ରହ କରି ନିଜ ଘରକୁ ନେଇଯାଆନ୍ତି । ଯଦିଓ ଅନେକ ଥର ସ୍ଥାନୀୟ ଲୋକ ଭକ୍ତମାନଙ୍କୁ ଏହା ବୁଝାଇବା ପାଇଁ ଚେଷ୍ଟା କରିଥିଲେ, ତଥାପି ଭକ୍ତମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ଏହି ପାଣି ନେବା ପାଇଁ ଭକ୍ତମାନଙ୍କର ଏକ ଲମ୍ବା ଧାଡି ଲାଗିଛି। ତେବେ ଭିଡିଓ ଭାଇରାଲ ହେବା ପରେ ମନ୍ଦିରର ପୁରୋହିତମାନେ ଲୋକଙ୍କୁ ନିବେଦନ କରିଛନ୍ତି। ଭକ୍ତମାନଙ୍କୁ ଏହାକୁ ନପିଇବାକୁ ନିବେଦନ କରିଛନ୍ତି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବାଙ୍କେ ବିହାରୀ ମନ୍ଦିର ହେଉଛି ଦେଶର ଏକ ଲୋକପ୍ରିୟ ମନ୍ଦିର। ଏଠାରେ ଠାକୁରଜୀଙ୍କର ଦର୍ଶନ ପାଇବା ପାଇଁ ପ୍ରତିଦିନ ୧୦ ରୁ ୧୫ ହଜାର ଭକ୍ତ ମନ୍ଦିରକୁ ଆସନ୍ତି। ଏଥି ସହିତ, କୌଣସି ପର୍ବପର୍ବାଣୀ ସମୟରେ ଭକ୍ତଙ୍କ ସଂଖ୍ୟା ୨୦ ରୁ ୨୫ ହଜାରକୁ ବୃଦ୍ଧି ପାଇଥାଏ । ତେବେ ଏହି ମନ୍ଦିରର ଏବେ ଏହି ଏସି ପାଦୁକା ପାଇବା ପାଇଁ ଲୋକଙ୍କ ଗହଳିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।