ଚାରିଧାମ ଯାତ୍ରା ପୂର୍ବରୁ ସମସ୍ତ ଶ୍ରଦ୍ଧାଳୁଙ୍କର ହେବ ଭେରିଫିକେସନ, ସନ୍ଦିଗ୍ଧଙ୍କ ଉପରେ ରହିବ ଖାସ୍‌ ନଜର

ଚାରିଧାମ ଯାତ୍ରା ଖବୁଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ତେଣୁ ଏଥିପାଇଁ କିଛି ନୂଆ ନିୟମ ଲାଗୁ କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଚାରିଧାମ ଯାତ୍ରା ପାଇଁ ଆସୁଥିବା ସମସ୍ତ ଲୋକଙ୍କ ଭେରିଫିକେସନ କରାଯିବ। ଏହାସହିତ ରାଜ୍ୟରେ ଅସାମାଜିକ ବ୍ୟକ୍ତିଙ୍କ ଭେରିଫିକେସନ ପାଇଁ ଅଭିଯାନ ଆରମ୍ଭ କରାଯିବ।

ଚାରିଧାମ ଯାତ୍ରା ସମୟରେ ଲୋକଙ୍କର ଭେରିଫିକେସନ ବିଷୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଉତ୍ତରାଖଣ୍ଡ ଶାନ୍ତ ରାଜ୍ୟ ଏବଂ ସରକାର ଚାରିଧାମ ଯାତ୍ରାକୁ ନେଇ ପ୍ରସ୍ତୁତ ରହିଛନ୍ତି। ଧର୍ମ ଏବଂ ସଂସ୍କୃତି ରକ୍ଷା କରିବା ସରକାରଙ୍କ ଦାୟିତ୍ୱ। ଚାରିଧାମ ଯାତ୍ରା ସମୟରେ ରାଜ୍ୟକୁ କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ସନ୍ଦିଗ୍ଧ ପ୍ରବେଶ ନିଷେଧ। ତେଣୁ ତୀର୍ଥ ପାଇଁ ଆସୁଥିବା ସମସ୍ତଯାତ୍ରୀଙ୍କ ପାଇଁ ଭେରିଫିକେସନ କରାଯିବ।

ମୁଖ୍ୟମନ୍ତ୍ରୀ ଧାମି ଆଇନ ବ୍ୟବସ୍ଥାକୁ ନେଇ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି। ଉତ୍ତରାଖଣ୍ଡ ଧର୍ମ ଓ ସଂସ୍କୃତିର କେନ୍ଦ୍ର। ଏଠାରେ ଏପରି ଅସାମାଜିକ କାମ କରୁଥିବା ବ୍ୟକ୍ତି ପାଇଁ କୌଣସି ସ୍ଥାନ ନାହିଁ। ଦଙ୍ଗା କରିବା କିମ୍ବା ଧାର୍ମିକ ସ୍ଥଳରେ କୌଣସି ଗଣ୍ଡଗୋଳ କରିବା ଲୋକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି।

ସୂଚନାଯୋଗ୍ୟ, ଚାରିଧାମ ଯାତ୍ରା ପାଇଁ ପ୍ରଥମରୁ ବୁକିଂ ହୋଇସାରିଛି। ଶ୍ରଦ୍ଧାଳୁଙ୍କ ପାଇଁ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମ କପାଟ ୩ ମଇକୁ ଖୋଲିବ। ସେହିପରି କେଦାରନାଥ କପାଟ ୬ ମଇ ଏବଂ ବଦ୍ରିନାଥ କପାଟ ୮ ମଇରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ତେଣୁ ଶ୍ରଦ୍ଧାଳୁଙ୍କ ଯାତ୍ରା ପୂର୍ବରୁ ଉତ୍ତରାଖଣ୍ଡ ସରକାର ସୁରକ୍ଷା ବ୍ୟବସ୍ଥା ସମେତ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।

Leave A Reply

Your email address will not be published.