ହଟିଲେ DGCA ମୁଖ୍ୟ ବିକ୍ରମ ଦେବଦତ୍ତ, ଲଗାତାର ବିମାନକୁ ବୋମା ଧମକ ପରେ ହେଲେ ବଦଳି

ଭାରତୀୟ ଏୟାରଲାଇନ୍ସ ଗତ ୬ ଦିନରେ ୭୦ରୁ ଅଧିକ ବିମାନରେ ବୋମା ଧମକ ମିଳିଛି । ଶନିବାର ଦିନ ୩୦ରୁ ଅଧିକ ଉଡାଣକୁ ବୋମା ଧମକ ମିଳିଛି । ଏହାରି ମଧ୍ୟରେ DGCA ମୁଖ୍ୟ ବିକ୍ରମ ଦେବଦତ୍ତଙ୍କୁ ବଦଳି କରାଯାଇଛି । ତାଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି । ବିମାନରେ ବାରମ୍ବାର ବୋମା ଆତଙ୍କ ଘଟଣା ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଛି । ବିକ୍ରମ ୧୯୯୩ ବ୍ୟାଚରୁ ଅରୁଣାଚଳ ପ୍ରଦେଶ-ଗୋଆ ମିଜୋରାମ ଏବଂ କେନ୍ଦ୍ର ଶାସିତ ପ୍ରଦେଶ କ୍ୟାଡରର ଆଇଏଏସ ।

ଗତକାଲି ଭିସ୍ତାରା ଏବଂ ଇଣ୍ଡିଗୋ ସମେତ ୧୦ ରୁ ଅଧିକ ବିମାନକୁ ଧମକ ମିଳିଥିଲା । ଏହି ଘଟଣାରେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍)ର ଅଧିକାରୀମାନେ ବିଭିନ୍ନ ଏୟାରଲାଇନ୍ସ ଅପରେଟରଙ୍କ ସିଇଓଙ୍କ ସହ ବୈଠକ କରିଥିଲେ । ଯାତ୍ରୀଙ୍କ ପାଇଁ ଭୟ ଓ ଅସୁବିଧା ସୃଷ୍ଟି କରୁଥିବା ବିପଦର ମୁକାବିଲା ପାଇଁ ସିଇଓମାନଙ୍କୁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର ବିଷୟରେ ଅବଗତ କରାଯାଇଥିଲା । ବିମାନଗୁଡ଼ିକୁ ଡାଇଭର୍ଟ କରିବା ସହ ବାତିଲ୍ ଏବଂ ପୁନଃନିର୍ଦ୍ଧାରଣ କରିବାକୁ ପଡ଼ୁଥିବାରୁ ଏୟାରଲାଇନ୍ସଗୁଡ଼ିକର କ୍ଷତି ହେଉଥିବା ବୈଠକରେ କୁହାଯାଇଥିଲା ।

ତେବେ ଯାଞ୍ଚରେ କିଛି ଧମକର ଆଇପି ଠିକଣା ଲଣ୍ଡନ, ଜର୍ମାନୀ, କାନାଡ ଏବଂ ଆମେରିକାର ବାହାରିଛି । ଧମକ ଦେଇଥିବା ଲୋକ ଭିପିଏନ୍‌ର ବ୍ୟବହାର କରି ନିଜର ପ୍ରକୃତ ଠିକଣା ଗୋପନୀୟ ରଖିବା ପାଇଁ ଚେଷ୍ଟା କରୁଛନ୍ତି ।

ବିମାନରେ ବୋମା ଥିବା ମିଛ ପ୍ରଚାର ପାଇଁ ୬୦ରୁ ୮୦ କୋଟି ଟଙ୍କା ବିମାନ କମ୍ପାନୀ କ୍ଷତି ସହୁଛି । ତେବେ ବିମାନରେ ବୋମା ରହିଥିବାର ସୂଚନା ମିଳିବା ପରେ ବିମାନଟି ପାଖରେ ଥିବା ଏୟାରପୋର୍ଟରେ ଅବତରଣ କରିବାକୁ ପଡିଥାଏ । ଏହା କେବଳ ଅଧିକ ଇନ୍ଧନ ଖର୍ଚ୍ଚ କରେ ନାହିଁ  ।  ବିମାନଟିକୁ  ଯାଞ୍ଚ କରିବା  ଯାତ୍ରୀମାନଙ୍କ ପାଇଁ ହୋଟେଲର ବ୍ୟବସ୍ଥା କରିବା, ଯାତ୍ରୀମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପର୍ଯ୍ୟନ୍ତ ବ୍ୟବସ୍ଥା କରିବାକୁ ପଡିଥାଏ । ଏହି ସମସ୍ତ ବ୍ୟବସ୍ଥା କରିବା ପାଇଁ ପ୍ରାୟ ତିନି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ସୋମବାରରୁ ଏପର୍ଯ୍ୟନ୍ତ ୭୦ରୁ ଅଧିକ ଫ୍ଲାଇଟ୍ସକୁ ବୋମାରେ ଉଡାଇଦେବା ଧମକ ମିଳିଛି ।

You might also like