ଓମିକ୍ରନ୍‌ ଯୋଗୁ ଅଟକିଲା ବିଦେଶକୁ ବିମାନ ଚଳାଚଳ, ୧୫ ଡିସେମ୍ବରରୁ ଆରମ୍ଭ ହେବନି ଅନ୍ତର୍ଜାତୀୟ ଉଡ଼ାଣ

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ପକ୍ଷରୁ ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ସେବାକୁ ସ୍ଥଗିତ କରାଯାଇଛି। ଏହା ପୂର୍ବରୁ ୨୬ ନଭେମ୍ବରରେ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ୧୫ ଡିସେମ୍ବରରୁ ଭାରତକୁ ଯାତାୟାତ କରୁଥିବା ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣ ସାଧାରଣ ଭାବେ ସଞ୍ଚାଳିତ ହେବ।

କିନ୍ତୁ ବର୍ତ୍ତମାନ କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନ ଚଳାଚଳକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ କେବେ ଠାରୁ ବିମାନ ଚଳାଚଳ ସ୍ୱାଭାବିକ ହେବ ସେ ନେଇ ପରେ ଘୋଷଣା କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଭାରତକୁ ଯିବା ଆସିବା କରୁଥିବା ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣ କୋଭିଡ-୧୯ ମହାମାରୀ ଯୋଗୁ ୨୩ ମାର୍ଚ୍ଚ, ୨୦୨୦ରୁ ବନ୍ଦ ରହିଛି। କିନ୍ତୁ ଗତ ବର୍ଷ ଜୁଲାଇରୁ ପାଖାପାଖି ୨୮ଟି ଦେଶ ସହ ହୋଇଥିବା ଏୟାର ବବଲ୍‌ ଚୁକ୍ତି ପରେ କେତେକ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଯାତ୍ରା ସଞ୍ଚାଳିତ ହେଉଥିଲା।

ପ୍ରକାଶ ଯେ ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ପୁଣି ଏକ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି। ଏହି ଭ୍ୟାରିଏଣ୍ଟ ପୂର୍ବ ସବୁ ଭ୍ୟାରିଏଣ୍ଟ ତୁଳନାରେ ଅଧିକ ବିପଦପୂର୍ଣ୍ଣ ବୋଲି ଏକ୍ସପର୍ଟମାନେ ପୂର୍ବରୁ କହିସାରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ର ଭୟାବହତା ବିଷୟରେ ସୂଚନା ଦିଆଯାଇଛି। ଏକ୍ସପର୍ଟମାନେ କହୁଛନ୍ତି ଯେ କରୋନାର ଏହି ନୂଆ ଭ୍ୟାରିଏଣ୍ଟ ଖୁବ୍‌ ଦ୍ରୁତ ଗତିରେ ବ୍ୟାପିବ ଓ ପୂର୍ବ ତୁଳନାରେ ଏହା ଅଧିକ ଭୟଙ୍କର ହେବ। ମଣିଷ ଶରୀରରେ ଏହି ଭାଇରସ୍‌ କ’ଣ ଯେ କ୍ଷତି କରିବ ତାହା ଏବେ ଠୁ କହିବା ବି ଅସମ୍ଭବ। କିନ୍ତୁ ଏହା ଅଧିକ ବିପଦପୂର୍ଣ୍ଣ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ। ଏଣୁ ଏବେ ବିଦେଶକୁ ବିମାନ ଚଳାଚଳ କରିବା ବିପଦପୂର୍ଣ୍ଣ ରହିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.