ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ୨ ମାସ ଯାଏଁ ଡିଜିଟାଲ ଆଟେଣ୍ଡାନ୍ସ ବନ୍ଦ

ଉତ୍ତରପ୍ରଦେଶରେ ଡିଜିଟାଲ ଆଟେଣ୍ଡାନ୍ସକୁ ନେଇ ଚାଲିଥିବା ବିବାଦକୁ ନେଇ ଯୋଗୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୨ ମାସ ପର୍ଯ୍ୟନ୍ତ ଡିଜିଟାଲ ଆଟେଣ୍ଡାନ୍ସ ଉପରେ ରୋକ୍ ଲଗାଯାଇଛି । ଏନେଇ ମଙ୍ଗଳବାର ମୁଖ୍ୟ ସଚିବ ମନୋଜ କୁମାରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ସଂଘ ସହ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ପରେ ପ୍ରାଥମିକ ଶିକ୍ଷକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ ।

ଜୁଲାଇ ୮କୁ ଯୋଗୀ ସରକାର ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଡିଜିଟାଲ ଆଟେଣ୍ଡାନ୍ସ ଲାଗୁ କରିଥିଲେ । ଏହା ପରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ବିରୋଧ ଦେଖାଦେଇଥିଲା । ଅପରପକ୍ଷରେ ଯୋଗୀ ସରକାର ଏହା ଆଶ୍ୱାସନା ଦେଇଛନ୍ତି ଯେ, ଏକ ଏକ୍ସପର୍ଟ କମିଟି ଗଠନ ହେବ ଯିଏ ଦୁଇ ମାସ ପର୍ଯ୍ୟନ୍ତ ଶିକ୍ଷକଙ୍କ ସମସ୍ୟା ଉପରେ ବିଚାର କରିବେ । ଏହା ପରେ ସମସ୍ତଙ୍କ ହିତକୁ ଦୃଷ୍ଟିରେ ରଖି କୌଣସି ନିଷ୍ପତ୍ତି ନିଆଯିବ । ଏହା ସହ ଉକ୍ତ କମିଟି ୨ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦାଖଲ କରିବେ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ସବୁ ସ୍କୁଲରେ ଡିଜିଟାଲ ଆଟେଣ୍ଡାନ୍ସକୁ ନେଇ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲାପାଳଙ୍କୁ ଆଦେଶ ଦେଇଥିଲେ । ଶିକ୍ଷା ଅଧିକାରୀଙ୍କ ସହିତ ମିଶି ଶିକ୍ଷକଙ୍କ ସହିତ କଥା ହୁଅନ୍ତୁ, ଏହାସହିତ ଶିକ୍ଷକ ସଂଘଙ୍କ ପକ୍ଷ ନେଇ ସରକାରଙ୍କୁ ପଠାନ୍ତୁ । ଯାହାଦ୍ୱାରା ସେମାନଙ୍କ ସମସ୍ୟା ବିଷୟରେ ଜାଣି ହୋଇପାରିବ ।

ତେବେ ଯୋଗୀ ସରକାର ଜୁଲାଇ ୮ ତାରିଖରୁ ସମସ୍ତ ପ୍ରାଇମେରୀ ଶିକ୍ଷକଙ୍କ ପାଇଁ ଡିଜିଟାଲ ଆଟେଣ୍ଡାନ୍ସ ଲାଗୁ କରିଛନ୍ତି । ଏହାପରେ ଶିକ୍ଷକମାନେ ଏହାକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଶିକ୍ଷକମାନେ ଏହାକୁ ନେଇ ସମସ୍ୟା କହିଛନ୍ତି, ସ୍କୁଲ ଦୂର ହେବା କାରଣରୁ ସମୟରେ ପହଞ୍ଚିବା ମୁସ୍କିଲ ହେଉଛି । ସ୍କୁଲରେ ବ୍ୟବସ୍ଥା ଠିକ୍‌ ନାହିଁ । ସ୍କୁଲରେ ସଫା କରିବାକୁ କର୍ମଚାରୀ ନାହାନ୍ତି । ଏହି କାରଣ ଯୋଗୁଁ ଶିକ୍ଷକମାନେ ସ୍କୁଲର ସଫେଇ ନିଜେ କରୁଛନ୍ତି । ସ୍କୁଲରେ ଲାଇନ ରହୁନାହିଁ । ନେଟଓ୍ଵାର୍କ ସମସ୍ୟା ରହୁଛି । ଏମିତିରେ ଡିଜିଟାଲ ଆଟେଣ୍ଡାନ୍ସ କେମିତି ହେବ ବୋଲି ଶିକ୍ଷକ ସଂଘ ଦାବି କରିଛି । ପ୍ରଥମେ ସ୍କୁଲରେ ମୌଳିକ ପ୍ରାଥମିକତା ଯୋଗାଇବା ପରେ ଡିଜିଟାଲ ଆଟେଣ୍ଡାନ୍ସ ଲାଗୁ ହେଉ ବୋଲି ଶିକ୍ଷକ ସଂଘ କହିଛି ।