ଆନ୍ଧ୍ର ପ୍ରଦେଶରେ ଦୁଃଖଦ ଦୁର୍ଘଟଣା! କ୍ଲିନିକ୍‌ରେ ଲାଗିଗଲା ନିଆଁ; ଡାକ୍ତରଙ୍କ ସହ ଚାଲିଗଲା ଦୁଇ ପୁଅ, ଝିଅଙ୍କ ଜୀବନ

ଆନ୍ଧ୍ର ପ୍ରଦେଶର ତିରୁପତି ନିକଟ ଭଗତ ସିଂ ନଗରରେ ରବିବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ତିନି ମହଲା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା, ଯାହା ସଂସ୍ପର୍ଶରେ ଆସି ଜଣେ ଡାକ୍ତରଙ୍କ ସହ ତାଙ୍କ ପୁଅ, ଝିଅଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୨ ଜଣ ଗୁରୁତର ଭାବରେ ଜଳି ଯାଇଛନ୍ତି। ପୋଲିସ ସୂଚନା ମୁତାବକ, ବିଲ୍ଡିଂର ପ୍ରଥମ ମହଲାରେ ରାତି ପାଖାପାଖି ସାଢ଼େ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତଳ ମହଲାରେ ଡାକ୍ତରଙ୍କ କ୍ଲିନିକ୍ ଥିଲା। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା।

୩ ମୃତକଙ୍କ ପରିଚୟ ମିଳିଛି। ଏହି ଅଗ୍ନିକାଣ୍ଡରେ ଡାକ୍ତର ରବି ଶଙ୍କର ରେଡ୍ଡୀ, ତାଙ୍କ ପୁଅ ସିଦ୍ଧୁ (୧୨) ଓ ଝିଅ କାର୍ତ୍ତିକା (୬)ଙ୍କ ମୃତ୍ୟୁ ହୋଇଛି। ଯଦିଓ ଘଟଣାର ତୁରନ୍ତ ପରେ ୩ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ପଠାଯାଇଥିଲା, କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ନିଆଁ ସଂସ୍ପର୍ଶରେ ଆସିବା ଦ୍ୱାରା ୩ ଜଣ ଯାକ ଗୁରୁତର ଭାବରେ ପୋଡି ଯାଇଥିଲେ। ତେଣୁ ସେମାନଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନ ଥିଲା।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କ ପତ୍ନୀ ଡା. ଅନନ୍ତ ଲକ୍ଷ୍ମୀ ଓ ମା’ ରାମାସୁବମ୍ମାଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ କହିଛି କି, ସମସ୍ତ ମୃତଦେହକୁ ତିରୁପତିସ୍ଥିତ ସରକାରୀ ହସ୍ପିଟାଲକୁ ପଠାଇ ଦିଆଯାଇଛି।

ରାଜସ୍ଥାନରେ ବି ନିଆଁ!

ସେପଟେ ରାଜସ୍ଥାନର ଭିଲୱାରା ଜିଲ୍ଲା ଖେଡା ଗ୍ରାମରେ ମଧ୍ୟ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଏକ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯିବା ଫଳରେ ଏହା ସଂସ୍ପର୍ଶରେ ଆସି ଜଣେ ବୃଦ୍ଧ ମହିଳା ଓ ଜଣେ କିଶୋରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଗମ୍ଭୀର ରୂପେ ଜଳି ଯାଇଥିବା ଉଭୟ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି କି, ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ଥିବା ଏବଂ ବିଦ୍ୟୁତ୍‌ ଶର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.