କରୋନା ଭୟରେ ରାସ୍ତାରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଙ୍କୁ କେହି ଛୁଇଁଲେନି, ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଡାକ୍ତର ବିଧାୟିକା

କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ଲୋକଙ୍କ ମାନବିକତା ବି ହଜିଯାଇଥିବା ଦେଖିବାକୁ ମିଳିଛି। କେଉଁଠି କରୋନା ସନ୍ଦେହରେ ଶବକୁ କାନ୍ଧ ମିଳୁନି ତ ଆଉ କେଉଁଠି ଗୁରୁତର ରୋଗୀକୁ ବି ସଂକ୍ରମଣ ଭୟରେ କେହି ସାହାଯ୍ୟ କରୁନାହାନ୍ତି। ଏବେ ପୁଣି ଥରେ ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ନିକଟସ୍ଥ ରାଜପଥରେ।

ଏଠାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ କରୋନା ଭୟରେ କେହି ସାହାଯ୍ୟ କରିନଥିଲେ। ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡ଼ି ରହି ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ବି ଲୋକମାନେ ଦେଖିକି ବି ଆଖି ବୁଜି ଦେଇଥିଲେ। ମାତ୍ର ଏହି ସମୟରେ ଦେବଦୂତ ସାଜି ପହଞ୍ଚିଥିଲେ ଜଣେ ମହିଳା ବିଧାୟିକା, ଯିଏ ପେସାରେ ଜଣେ ଡାକ୍ତର ମଧ୍ୟ। ସେ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ।

sridevi2

ରିପୋର୍ଟ ମୁତାବକ ଜଣେ ଯୁବକ ବାଇକ୍‌ ଯୋଗେ ଗୁଣ୍ଟୁରରୁ ପିଡ଼ୁଗୁରାଲା ଯାଉଥିଲେ। ଗୁରୁବାର ସକାଳ ପ୍ରାୟ ୬ଟାରେ ତାଙ୍କୁ ଏକ ଲରି ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାକୁ ଛିଟିକି ପଡ଼ିଥିଲେ। ତାଙ୍କୁ ଗଭୀର ଆଘାତ ମଧ୍ୟ ଲାଗିଥିଲା। ଦୀର୍ଘ ସମୟ ଧରି ରାସ୍ତାରେ ପଡ଼ି ରହିଥିଲେ ମଧ୍ୟ କରୋନା ଭୟରେ କେହି ତାଙ୍କୁ ସାହାଯ୍ୟ କରିନଥିଲେ। ଏହି ସମୟରେ ସେହି ବାଟ ଦେଇ ଆନ୍ଧ୍ର ପ୍ରଦେଶର ସତ୍ତାରୁଢ଼ ପାର୍ଟିର ବିଧାୟିକା ଶ୍ରୀଦେବୀ ଯାଉଥିଲେ। ସେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଯୁବକଙ୍କୁ ଦେଖି ଗାଡ଼ି ଅଟକାଇ ତାଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ଏନେଇ ସେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା।

ସୂଚନାଯୋଗ୍ୟ ଯେ ଶ୍ରୀଦେବୀ ଏବେ ଆନ୍ଧ୍ରପ୍ରଦେଶର ତାଡିକୋଣ୍ଡା ବିଧାନସଭା ସିଟ୍‌ରେ ବିଧାୟକ ଅଛନ୍ତି। ଏଥିସହ ସେ ଜଣେ ଡାକ୍ତର ମଧ୍ୟ। ଏହି ଘଟଣାକୁ ନେଇ ଶ୍ରୀଦେବୀ କହିଛନ୍ତି ଲୋକମାନେ କରୋନା ଭାଇରସ୍‌ର ସଂକ୍ରମଣ ଭୟରେ ଉକ୍ତ ଗୁରୁତର ବ୍ୟକ୍ତିଙ୍କୁ ସାହାଯ୍ୟ କରିନଥିଲେ। ମୁଁ କେବଳ ତାଙ୍କର ପ୍ରାଥମିକ ଉପଚାର କରିଛି। ଏହି ସମୟରେ ମୁଁ ମାସ୍କ ଓ ଗ୍ଲୋବସ୍‌ ପିନ୍ଧିଥିଲି। କରୋନା ଭୟରେ କାହାକୁ ସାହାଯ୍ୟ ନ କରିବା ଭଲ କଥା ନୁହେଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.