କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ ବୁଲୁଥିଲା । କିନ୍ତୁ ହଠାତ ବାପା ମା’ଙ୍କ ଠାରୁ ଅଲଗା ହୋଇଗଲା ଦୁଇ ବର୍ଷର କୁନି ଝିଅ ଆୟଜା । ବାପା ମା’ଙ୍କୁ ନପାଇ କାନ୍ଦିବାକୁ ଲାଗିଲା । ଆଉ କାନ୍ଦି କାନ୍ଦି ଶେଷରେ ବେହୋସ ହୋଇଗଲା । ଶରୀରରେ କୌଣସି ପ୍ରକାର ହଲଚଲ ନଥିବା ଦେଖି ସ୍ଥାନୀୟ ଲୋକେ ଡରି ଗଲେ । ଆଉ ସଙ୍ଗେ ସଙ୍ଗେ ସିଆଇଏସଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି କୁନି ଝିଅକୁ ତାଜ ର ପୂର୍ବ ଗେଟରେ ଥିବା ଡିସପେନ୍ସରି ପଠାଇଥିଲେ ।

ସେଠାରେ ଥିବା ଡାକ୍ତର ରିଙ୍କୁ ବଘେଲ କୁନି ଝିଅକୁ ଦେଖିବା ପରେ ତୁରନ୍ତ ସିପିଆର ଦେଇଥିଲେ । ଯାହା ପରେ ଆୟଜାର ହୋସ୍‌ ଆସିଥିଲା । ପରେ ଆମ୍ବୁଲାନ୍ସ ସାହାଯ୍ୟରେ କୁନି ଝିଅକୁ ତୁରନ୍ତ ନିକଟସ୍ଥ ମାଙ୍ଗଲିକ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଝିଅର ଅବସ୍ଥା ସୁସ୍ଥ ଅଛି ।

ଡାକ୍ତରଙ୍କ କହିବା ଅନୁସାରେ ଅଧିକ କାନ୍ଦିବା ଫଳରେ ଝିଅର ମସ୍ତିଷ୍କକୁ ଅକ୍ସିଜେନ ପହଞ୍ଚି ପାରି ନଥିଲା, ତେଣୁ ତାର ଅବସ୍ଥା ଏମିତି ହୋଇଥିଲା । ଡାକ୍ତରଙ୍କ ଉଚିତ ବୁଦ୍ଧି ଯୋଗୁଁ ଝିଅର ଜୀବନ ବଞ୍ଚିଲା ।