ଚପଲ ବାହାରେ ରଖି ଆସ କହିବାରୁ ଛେଚା ଖାଇଲେ ଡାକ୍ତର, ସିସିଟିଭିରେ ଦୃଶ୍ୟ କଏଦ

ଚପଲ କାଢି ଆସିବାକୁ କହିବାରୁ ଛେଚା ଖାଇଲେ ଡାକ୍ତର । ଘରୋଇ କ୍ଲିନିକରେ ରୋଗୀ ଚିକିତ୍ସା ପାଇଁ ଆସି ଏଭଳି କାଣ୍ଡ ଘଟାଇଲେ ରୋଗୀଙ୍କ ସଂପର୍କୀୟ । ରୋଗୀଙ୍କ ସଂପର୍କୀୟ ସ୍ଲିପର ପିନ୍ଧି ଏମରଜେନ୍ସୀ ରୁମକୁ ଆସିଥିବାରୁ ଡାକ୍ତର ବାରଣ କରିଥିଲେ । ଆଉ ଚପଲ କାଢି ଆସିବାକୁ କହିଥିଲେ । ଯେଉଁଥିରେ ଊତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ମାଡ ମାରିଛନ୍ତି ରୋଗୀଙ୍କ ସଂପର୍କୀୟ । ଏମିତି ଘଟଣା ଗୁଜରାଟ ଭାବନଗର ସିହୋରରେ ଘଟିଛି । ପୋଲିସ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ।

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରୁ ସବୁକିଛି ସ୍ପଷ୍ଟ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ମହିଳା ହସପିଟାଲର ବେଡରେ ଶୋଇଥିବା ବେଳେ ପାଖରେ କିଛି ଲୋକ ଠିଆ ହୋଇଛନ୍ତି । ଡାକ୍ତର ସେହି ରୁମକୁ ପଶିବା ପରେ ସେମାନଙ୍କୁ ଚପଲ ବାହାରେ ରଖି ଆସିବାକୁ କହିଛନ୍ତି । ଡାକ୍ତରଙ୍କ କଥା ଶୁଣିବା ମାତ୍ରେ ମହିଳାଙ୍କ ନିକଟରେ ଠିଆ ହୋଇଥିବା ଯୁବକ ତାଙ୍କୁ ମାରିବାକୁ ଆରମ୍ଭ କରିଦେଇଛନ୍ତି । ମହିଳା ଏବଂ ନର୍ସ ଛଡାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେମାନେ ମାନୁନାହାନ୍ତି ।

ଏହି ଘଟଣାରେ କ୍ଲିନିକରେ ଥିବା ଔଷଧ ଏବଂ ଅନ୍ୟ ସାମଗ୍ରୀ ନଷ୍ଟ ହୋଇଛି । ପୋଲିସକୁ ଅଭିଯୋଗ ପରେ ୩ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାରେ ଧାରା ୧୧୫(୨), ୩୫୨, ୩୫୧(୩) ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like