ଯୋଧପୁରର ଏମ୍ସ ଡାକ୍ତରଙ୍କୁ ମିଳିଛି ଅଦ୍ଭୁତପୂର୍ବ ସଫଳତା। ଚାରିଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଡାକ୍ତରୀ ଟିମ୍ ଯାଆଁଳା ଯୋଡ଼ା ଶିଶୁକୁ ପରସ୍ପର ଠାରୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଯାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡ଼ି ହୋଇ ରହିଥିଲା। ଉଭୟଙ୍କ ଓଜନ ମିଶି ପାଖାପାଖି ୩ କେଜି ଥିବାରୁ ଜଣେ ଶିଶୁର ଓଜନ ପ୍ରାୟ ୧ରୁ ଦେଢ଼ କେଜି ହେଉଥିଲା। ଏଭଳି ଶିଶୁଙ୍କ ଅପରେସନ୍ କରିବାକୁ ପ୍ରକୃଷ୍ଟ ସମୟ ୩ରୁ ୬ମାସ ହୋଇଥାଏ ବୋଲି ଏମ୍ସର ମୁଖ୍ୟ ଡ.ଅରବିନ୍ଦ ସିହ୍ନା କହିଛନ୍ତି।
ସଫଳତାର ସହ ଅପରେସନ୍ ଶେଷ କରିବା ପରେ ସେ କହିଛନ୍ତି ଯେ ଶିଶୁଙ୍କ ଛାତି, ପେଟ, କିଡ୍ନୀ ଓ ପାକସ୍ଥଳୀ ଯୋଡ଼ି ହୋଇ ରହିଥିଲା। ଏଣୁ ଅଲଗା କରିବା ଖୁବ୍ କଷ୍ଟକର ଥିଲା। ଏମିତି ଅପରେସନ୍ ସମୟରେ ବେଳେ ବେଳେ ଅପରେସନ୍ ଟେବୁଲରେ ହିଁ ପିଲାଙ୍କ ମୃତ୍ୟୁ ଘଟିଥାଏ। ଏଣୁ ଏହି ଅପରେସନ୍ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ବୋଲି ସେ କହିଛନ୍ତି।
ତେବେ ବର୍ତ୍ତମାନ ଅପରେସନ୍ ପରେ ଦୁଇ ଜଣଯାକ ଶିଶୁ ସୁସ୍ଥ ଅଛନ୍ତି ଓ ଭେଣ୍ଟିଲେଟରରେ ଅବଜରଭେସନ୍ରେ ଅଛନ୍ତି ବୋଲି ଡାକ୍ତର କହିଛନ୍ତି। ଯୋଡ଼ା ଶିଶୁଙ୍କ ପରିବାର ଖୁବ୍ ଗରିବ ହୋଇଥିବାରୁ ଉଭୟଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି ବୋଲି ଡ.ସିହ୍ନା କହିଛନ୍ତି।
ଚିକିତ୍ସା ବିଜ୍ଞାନରେ ଏଭଳି ସଫଳତା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଓଡ଼ିଶାର ଯାଆଁଳା ଯୋଡ଼ା ଶିଶୁ ଜଗାବଳିଆଙ୍କୁ ଅପରେସନ୍ ମାଧ୍ୟମରେ ଅଲଗା କରାଯାଇଥିଲା। ବର୍ତ୍ତମାନ ଉଭୟେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି। କିନ୍ତୁ ଜଗାବଳିଆ ଟିକେ ବଡ଼ ହେବା ପରେ ଅପରେସନ୍ ହୋଇଥିବା ବେଳେ ଏହି ଶିଶୁଙ୍କୁ ମାତ୍ର ୬ ଦିନ ବୋଲି ଜଣାଯାଇଛି।