ମୋମୋ ତିଆରି କରୁଥିବା ଫ୍ୟାକ୍ଟ୍ରି ଫ୍ରିଜରୁ ମିଳିଲା କୁକୁର ମୁଣ୍ଡ, ଯାଞ୍ଚ ପାଇଁ ପଠାଗଲା ମୋମୋ

ମୋମୋ ଖାଇବାକୁ ଭଲ ପାଉଥିଲେ ହୋଇଯାଆନ୍ତୁ ସାବଧାନ । ରାସ୍ତାକଡ଼ରୁ ମୋମୋ ଖାଇବା ଆପଣଙ୍କୁ ପଡ଼ିପାରେ ମହଙ୍ଗା । ମୋମୋ ଭିତରେ ଦିଆଯାଉଥିବା ମାଂସ କ’ଣ ତାହା ଆପଣ ଜାଣିଛନ୍ତି କି ? ଜାଣିବା ପରେ ହୁଏତ ଆଉ ଖାଇବାକୁ ଇଚ୍ଛା ହେବନି । ପଞ୍ଜାବ ମୋହାଲିର ନଗର ନିଗମର ମେଡିକାଲ୍ ଟିମ୍ ମାଂସ ଦୋକାନରେ ଚଢ଼ାଉ କରି ପାଖାପାଖି ୬୦ କିଲୋ ଦୁର୍ଗନ୍ଧଯୁକ୍ତ ଫ୍ରୋଜନ୍ ଚିକେନ୍ ଜବତ କରିଛି । ପୋକ ସାଲୁବାଲୁ ଚିକେନକୁ ମାଟି ତଳେ ପୋତି ଟିମ୍ ଏସବୁ ଦୋକାନର ଚାଲାଣ ମଧ୍ୟ ସିଲ୍ କରିଥିଲା । ହେଲେ ଏହି ଚଢାଉ ସମୟରେ ମୋମୋ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିର ଫ୍ରିଜରୁ କୁକୁର ମୁଣ୍ଡ ମିଳିଛି । ଯାହାକୁ ନେଇ ଏବେ ମନରେ ଅନେକ ପ୍ରଶ୍ନ ଉଠିଛି ।

ମୋମୋଜ୍ ପ୍ରସ୍ତୁତ କରୁଥିବା ଏହି ଫ୍ୟାକ୍ଟ୍ରିରେ ଯାଞ୍ଚ୍ କରିବା ସମୟରେ ଫ୍ରିଜରୁ କୁକୁରର ମୁଣ୍ଡ ଭଳି ଦେଖାଯାଉଥିବା ଏକ ଖପୁରୀ ମିଳିଥିବାର ଖବର ସାମ୍ନାକୁ ଆସିଲା । ଘଟଣା ପରେ ବର୍ତ୍ତମାନ ପୋଲିସ ପ୍ରଶାସନ ଜୋରସୋରରେ ଯାଞ୍ଚ୍ ପ୍ରକ୍ରିୟାରେ ଲାଗିଛି । ମୋମୋଜ୍ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ତିଆରି କରୁଥିବା ଫ୍ୟାକ୍ଟ୍ରି ଉପରେ କଡ଼ାକଡ଼ି ଭାବେ ଯାଞ୍ଚ୍ କାମ ଜାରି ରହିଛି । ଖାଦ୍ୟରେ କୁକୁର ମାଂସର ବ୍ୟବହାର କରାଯାଉଥିଲା ନା ନାହିଁ ଜାଣିବା ପାଇଁ ପଚି ଯାଇଥିବା ମାଂସକୁ ପଶୁ ଚିକିତ୍ସା ବିଭାଗକୁ ପଠାଇ ଦିଆଯାଇଛି । ଏହାସହ ମୋମୋଜ୍, ସ୍ପ୍ରିଙ୍ଗ୍ ରୋଲ୍ ଏବଂ ଚଟଣୀର ନମୁନାକୁ ମଧ୍ୟ ଯାଞ୍ଚ୍ ପାଇଁ ପଠାଇ ଦିଆଯାଇଛି ।

ଫ୍ୟାକ୍ଟ୍ରିରେ କଟା ମାଂସ ସହ କ୍ରସର୍ ମେସିନ୍ ମଧ୍ୟ ମିଳିଥିଲା । ରବିବାର ଏହି ଘଟଣାକୁ ନେଇ ପ୍ରଶାସନକୁ ଖବର ଦିଆଯାଇଥିଲା । ତା’ପରେ ପ୍ରଶାସନ ଯାଞ୍ଚକୁ ଗମ୍ଭୀରତାର ସହ ନେଇ ପ୍ରତିଟି ଫ୍ୟାକ୍ଟ୍ରିକୁ ଦେଖିଥିଲେ ଯେଉଁଠାରୁ ସଢ଼ା ପରିବା, ଅସ୍ବାସ୍ଥ୍ୟକର ଫାଷ୍ଟ୍ ଫୁଡ୍ , ପଚିଯାଇଥିବା ଖାଦ୍ୟ ଦେଖିବାକୁ ମିଳିଥିଲା । ଏହାପରେ ଡିଏଚଓଙ୍କୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ବିକ୍ରେତା ପାଇଁ ରେଜିଷ୍ଟ୍ରେସନ କରିନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ଫ୍ୟାକ୍ଟ୍ରି ଚଳାଉଥିବା ଲୋକ ନେପାଳ ବାସିନ୍ଦା ।

ସୂଚନାଯୋଗ୍ୟ, ପୁରୀ ସାକ୍ଷୀଗୋପାଳ ନିକଟରେ ମଟନ୍ ନାଁରେ ଗୋମାଂସ ବିକ୍ରି କରୁଥିବା ଏକ ହୋଟେଲ୍ ବେଶ୍ ଚର୍ଚ୍ଚାରେ ରହିଥିଲା । ଯେଉଁ ଗ୍ରାହକମାନେ ଉକ୍ତ ହୋଟେଲରେ ମଟନ୍ ଖାଇଥିଲେ ସେମାନେ ଲଣ୍ଡା ହୋଇ ମହୋଦଧିରେ ସ୍ନାନ କରି ପାପ ପାଇଁ ପ୍ରାୟଶ୍ଚିତ କଲେ । ପୁଲିସ୍ ହୋଟେଲକୁ ସିଲ୍ କଲା ଏବଂ ମାଲିକଙ୍କୁ ଗିରଫ କଲା ।

Also Read : ବାପା ହେଲେ ସଚିନ, ଶିଶୁ କନ୍ୟାକୁ ଜନ୍ମ ଦେଲେ ସୀମା ହାଇଦର