ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପିଜି ମେଡିକାଲ ନାମଲେଖା ପାଇଁ ମୂଳନିବାସୀ ଭିତ୍ତିକ ଆବାସିକ ସଂରକ୍ଷଣ ଖାରଜ

ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ପିଜି ମେଡିକାଲ ନାମଲେଖା ପାଇଁ ମୂଳନିବାସୀ ଭିତ୍ତିକ ଆବାସିକ ସଂରକ୍ଷଣକୁ ଅସାମ୍ବିଧାନିକ ବୋଲି କହି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହାସହିତ ଏହାକୁ ସମାନତା ଅଧିକାରର ଉଲ୍ଲଂଘନ ବୋଲି ମଧ୍ୟ କହିଛନ୍ତି ।

ଋଷିକେଶ ରୟ, ସୁଧାଂଶୁ ଧୁଲିଆ ଓ ଏସ୍.ଭି.ଏନ୍ ଭଟ୍ଟିଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ନାମଲେଖା ସମ୍ପୂର୍ଣ୍ଣ ଭାବେ ଯୋଗ୍ୟତା ଆଧାରରେ ହେବା ଉଚିତ । ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ଏହି ନିଷ୍ପତ୍ତି ରାଜ୍ୟଗୁଡ଼ିକ ପୂର୍ବରୁ ଦେଇଥିବା ଆବାସିକ ସଂରକ୍ଷଣକୁ ପ୍ରଭାବିତ କରିବ ନାହିଁ ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ପିଜି ମେଡିକାଲ ପାଠ୍ୟକ୍ରମରେ ଆବାସ ଭିତ୍ତିକ ସଂରକ୍ଷଣ ସ୍ପଷ୍ଟ ରୂପେ ସମ୍ବିଧାନର ଧାରା ୧୪ର ଉଲ୍ଲଂଘନ । ଆମେ ସମସ୍ତେ ଭାରତରେ ବାସ କରୁଛେ । ପ୍ରାଦେଶିକ କିମ୍ବା ରାଜ୍ୟ ବାସସ୍ଥାନ ଭଳି କୌଣସି ଜିନିଷ ନାହିଁ । କେବଳ ଗୋଟିଏ ହିଁ ନିବାସ ରହିଛି । ଆମେ ସମସ୍ତେ ଭାରତର ବାସିନ୍ଦା । ଭାରତର ଯେକୌଣସି ଠାରେ ବାସସ୍ଥାନ ବାଛିବା ଏବଂ ଯେକୌଣସି ସ୍ଥାନରେ ବ୍ୟବସାୟ ଓ ବୃତ୍ତି କରିବାର ଆମର ଅଧିକାର ରହିଛି ।

ଏହା ବ୍ୟତୀତ କୋର୍ଟ କହିଛନ୍ତି ଯେ କୌଣସି ସ୍ୱତନ୍ତ୍ର ରାଜ୍ୟରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏମବିବିଏସ୍ ପାଠ୍ୟକ୍ରମରେ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ସଂରକ୍ଷଣକୁ ଅନୁମତି ଦିଆଯାଇପାରେ । କିନ୍ତୁ ପିଜି ମେଡିକାଲ୍ ପାଠ୍ୟକ୍ରମରେ ଏହାର ଅନୁମତି ନାହିଁ ।

କହି ରଖୁଛୁ, ଗତକାଲି ତେଲଙ୍ଗାନା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଜାରି କରିଥିଲେ । ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସିନେମା ହଲ୍ ଯିବା ମନା । ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସେମାନଙ୍କୁ ହଲ୍ ଯିବାକୁ ବାରଣ କରାଯାଇଛି । ସକାଳ ୧୧ଟା ପୂର୍ବରୁ ଏବଂ ରାତି ୧୧ଟା ପରେ ୧୬ ବର୍ଷରୁ କମ୍ ବୟସର ପିଲାମାନେ ସିନେମା ଦେଖିବା ପାଇଁ ହଲ୍ ଯାଇପାରିବେ ନାହିଁ ବୋଲି ହାଇକୋର୍ଟ ଆଦେଶ ଜାରି କରିଥିଲେ ।

ଚଳଚ୍ଚିତ୍ର ଟିକେଟ୍ ମୂଲ୍ୟ ବୃଦ୍ଧି ଏବଂ ସ୍ୱତନ୍ତ୍ର ଶୋ’ ପାଇଁ ଅନୁମତି ସମ୍ପର୍କିତ ଏକ ପିଟିସନ ଶୁଣାଣି ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଥିଲେ । ପିଲାମାନଙ୍କୁ ସକାଳେ କିମ୍ବା ବିଳମ୍ବିତ ରାତିରେ ଫିଲ୍ମ ଦେଖିବା ପାଇଁ ଅନୁମତି ଦେଲେ, ଏହା ସେମାନଙ୍କ ଶାରୀରିକ ଏବଂ ଭାବନାତ୍ମକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ବୋଲି ଜଷ୍ଟିସ୍ ବିଜୟସେନ୍ ରେଡ୍ଡୀ ମନ୍ତବ୍ୟ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ସିନେମା ହଲ୍ ଯାଇପାରିବେ ନାହିଁ ୧୬ ବର୍ଷରୁ କମ୍ ବୟସର ପିଲା, ସକାଳ ୧୧ଟା ପୂର୍ବରୁ ଓ ରାତି ୧୧ଟା ପରେ ଲାଗିଲା କଟକଣା