ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ଡାହାଣ କାନରେ ଗୁଳି ବାଜିଥିବା ସୂଚନା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ରାଲିରେ ଗୁଳିମାଡ଼ । ଗୁଳିମାଡରେ ଟ୍ରମ୍ପ ଆହତ ହୋଇଛନ୍ତି । ଏକ ଭିଡିଓରେ ତାଙ୍କ ଡାହାଣ କାନରୁ ରକ୍ତ ବହୁଥିବାର ଦେଖିବାକୁ ମିଳିଛି । ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜି ପଳାଇଥିଲା । ତେଣୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଆମେରିକାର ପେନସିଲଭାନିଆର ବଟଲର ଠାରେ ରାଲି ଚାଲିଥିବା ବେଳେ ହଠାତ୍ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏଥିରେ ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଉପସ୍ଥିତ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ସେଠାରୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଗୁଳିମାଡ଼ ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସିକ୍ରେଟ ସର୍ଭିସେସ ତରଫରୁ ଜାରି ହୋଇଛି ବୟାନ। କୁହାଯାଇଛି, ରାଲି ହେଉଥିବା ସ୍ଥାନ ବାହାରରେ ଥିବା ଏକ ଉଚ୍ଚ ସ୍ଥାନରୁ ମଞ୍ଚ ଉପରକୁ ଗୁଲିମାଡ଼ ହୋଇଥିଲା । ସନ୍ଦିଗ୍ଧ ଆକ୍ରମଣକାରୀ ଦର୍ଶକଙ୍କ ମଧ୍ୟରୁ ଜଣଙ୍କୁ ମାରି ଦେଇଛି।  ଏ ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ଟ୍ରମ୍ପ ସୁରକ୍ଷିତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ କୁହାଯାଇଛି ।  ଟ୍ରମ୍ପଙ୍କ ଉପରକୁ ଆକ୍ରମଣ ଘଟଣାକୁ ରାଷ୍ଟ୍ରପତି ଜୋ ୱାଇଡେନ ନିନ୍ଦା କରିଛନ୍ତି ।  ଆମେରିକାରେ ଏପରି ରାଜନୈତିକ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି । ଏହାସହ ଟ୍ରମ୍ପଙ୍କ ସହ ବାଇଡେନ କଥା ହୋଇଥିବା ନେଇ ହ୍ବାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି ।