ବେଦର ଗାର ନୁହେଁ ମହିଳାଙ୍କ ଅଭିଯୋଗ, ନିର୍ଯାତନା ଅଭିଯୋଗ ଆଣିଲେ ତାହା ଯାଞ୍ଚ ହେବା ଉଚିତ : କେରଳ ହାଇକୋର୍ଟ

କୌଣସି ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ତାହା ସଂପୂର୍ଣ୍ଣ ସତ୍ୟ ବୋଲି ଗ୍ରହଣ ନ କରି ଅଭିଯୁକ୍ତଙ୍କ ବକ୍ତବ୍ୟର ଯାଞ୍ଚ ହେବା ଉଚିତ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେରଳ ହାଇକୋର୍ଟ । ଏଭଳି ମିଥ୍ୟା ଅଭିଯୋଗ ଅଭିଯୁକ୍ତଙ୍କର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥାଏ ବୋଲି କେରଳ ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ଜଷ୍ଟିସ ପି ଭି କୁହ୍ନିକ୍ରିଷ୍ଣନ ମତ ରଖିଛନ୍ତି । ଏଭଳି ସ୍ଥିତିରେ ପୋଲିସ ଅଧିକାରୀ ସଠିକ ତଦନ୍ତ କରି ମିଥ୍ୟା ଅଭିଯୋଗ ଆଣିଥିବା ମହିଳାଙ୍କ ଵିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।

ଗୋଟିଏ ପଟର ଅଭିଯୋଗ ଗ୍ରହଣ କରି ତଦନ୍ତ କରାଯିବା ଉଚିତ ନୁହେଁ ବୋଲି କେରଳ ହାଇକୋର୍ଟ କହିଛନ୍ତି । ଅଦାଲତ କହିଛନ୍ତି ଅଧିକାଂଶ ମାମଲାରେ ଅଭିଯୋଗକାରିଣୀ ଯାହା କହିଲେ ତାକୁ ବିଶ୍ୱାସ କରି ପୋଲିସ ମାମଲାର ଅଗ୍ରଗତି କରୁଥିବା ବେଳେ ଅଭିଯୁକ୍ତ କଥାକୁ ଗୁରୁତ୍ୱ ଦିଆଯାଉ ନାହିଁ । ସମାଜରେ ଏହା ଏକ ଟ୍ରେଣ୍ଡ ହୋଇଥିବା ବେଳେ ଅଭିଯୁକ୍ତ ବ୍ୟକ୍ତିଙ୍କରଏକ ମିଥ୍ୟା ଅଭିଯୋଗ ଯୋଗୁଁ ହେଉଥିବା କ୍ଷତି କେବଳ ଅର୍ଥ ଦେଇ ଭରଣା କରି ହେବ ନାହିଁ ।

କେରଳର ୫୭ ବର୍ଷୀୟ ନୌଷଦ କେ ନାମକ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ କମ୍ପାନୀରେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଗତ ଡିସେମ୍ବର ୨୪ ତାରିଖରେ କମ୍ପାନୀ ମାଲିକ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ବୋଲି ସେ କେରଳର ଏକ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗକାରିଣୀଙ୍କର କମ୍ପାନୀରେ ପ୍ରଦର୍ଶନ ସଠିକ ନ ଥିଲା ଓ ତାଙ୍କୁ ବହିଷ୍କାର ପାଇଁ ନୋଟିସ ମିଳିବା ପରେ ସେ ଏଭଳି ଅଭିଯୋଗ ଆଣିଥିବା କମ୍ପାନୀ ମାଲିକ କହିଥିଲେ ।

ଏ ନେଇ ମହିଳା କର୍ମଚାରୀ ମାଲିକଙ୍କୁ ପୂର୍ବରୁ ଦେଇଥିବା ଏକ ଧମକର ଅଡିଓ ରେକଡ଼ିଂ ସେ ପୋଲିସକୁ ଦେଇଥିଲେ ମଧ୍ୟ ପୋଲିସ ତାକୁ ଗ୍ରହଣ ନ କରି କମ୍ପାନୀ ମାଲିକଙ୍କୁ ଗିରଫ କରିଥିଲା । ଶୁଣାଣି ସମୟରେ କେରଳ ହାଇକୋର୍ଟ ଅନୁଭବ କରିଥିଲେ ପୋଲିସ ତଦନ୍ତ ସଠିକ ଭାବେ ନକରି କମ୍ପାନୀ ମାଲିକଙ୍କୁ ଗିରଫ କରିଛି । କମ୍ପାନୀ ମାଲିକଙ୍କୁ କେରଳ ହାଇକୋର୍ଟ ଜାମିନ ମଞ୍ଜୁର କରିବା ସହିତ ପୋଲିସ ଏଭଳି ଅଭିଯୋଗର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ହାଇକୋର୍ଟ ।