ଲୋକସଭାରେ ଡ.ସାମନ୍ତଙ୍କ ପ୍ରଶ୍ନ, SSTCsକୁ ଆବଶ୍ୟକ ପାଣ୍ଠି ପ୍ରଦାନ କରିବାକୁ କୌଣସି ସ୍ୱତନ୍ତ୍ର ଫ୍ରେମ୍ୱାର୍କ ଆରମ୍ଭ ପାଇଁ ପ୍ରସ୍ତାବ ଅଛି କି?

କେନ୍ୟୁଜ୍(ବ୍ୟୁରୋ): ସଂସଦରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କାଉନସିଲକୁ ପାଣ୍ଠି ପ୍ରସଙ୍ଗ ଉଠାଇ, ଅଣତାରକା ପ୍ରଶ୍ନ ପଚାରିଥିଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ସାଂସଦଙ୍କ ପ୍ରଶ୍ନ ଥିଲା, ଷ୍ଟେଟ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କାଉନସିଲ, SSTCsକୁ ଆବଶ୍ୟକ ପାଣ୍ଠି ପ୍ରଦାନ କରିବାକୁ ସରକାର କୌଣସି ସ୍ୱତନ୍ତ୍ର ଫ୍ରେମ୍ୱାର୍କ ପ୍ରସ୍ତୁତ କରୁଛନ୍ତି କି। ଯଦି କରୁଛନ୍ତି ତାର ସବିଶେଷ ତଥ୍ୟ କଣ। ମନ୍ତ୍ରୀଙ୍କ ଉତ୍ତର ଥିଲା, SSTCsକୁ ଆବଶ୍ୟକ ପାଣ୍ଠି ଯୋଗାଇବାକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏକ ଫ୍ରେମ୍ୱାର୍କ ପ୍ରସ୍ତୁତ କରି ସାରିଛି।
୨୦୧୮-୨୦୧୯ରେ ୨ହଜାର ୨୧୫ କୋଟି ଟଙ୍କା ଓ ୨୦୧୯-୨୦ରେ ୮ ହଜାର ୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ଦ୍ୱିତୀୟ ପ୍ରଶ୍ନ ଥିଲା, ଭଲ ଦରମା ଓ ପ୍ରୋତ୍ସାହନ ଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣା ପାଇଁ ଅଧିକ ସଂଖ୍ୟକ ପ୍ରଫେସନାଲ ଓ ଛାତ୍ରଙ୍କୁ ସାମିଲ କରିବାକୁ ସରକାରଙ୍କ କିଛି ଯୋଜନା ଅଛି କି। ମନ୍ତ୍ରୀଙ୍କ ଉତ୍ତର ଥିଲା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ପ୍ରଫେସନଲାକୁ ଗବେଷଣା ପାଇଁ ଆକୃଷ୍ଟ କରିବାକୁ ୨୦୦୮ରୁ ଇନ୍ସ୍ପାୟର ସ୍କିମ୍ ଲାଗୁ ହୋଇଛି।
ଇନ୍ସ୍ପାୟର ଜରିଆରେ ସ୍କଲାରସିପ୍ ଓ ଫେଲୋସିପ୍ ପ୍ରଦାନ କରାଯାଉଛି। ସ୍କଲାରସିପ୍ ଫର ହାୟର ଏଜୁକେସନ SHE ଜରିଆରେ ବାର୍ଷିକ ୧୭ରୁ ୨୨ ବର୍ଷ ବର୍ଗ ମଧ୍ୟରେ ଥିବା ୧୨ଶହ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରାଯାଉଛି। SHEରେ ବର୍ତ୍ତମାନ ସୁଦ୍ଧା ୯୦ ହଜାର ଛାତ୍ରଛାତ୍ରୀ ସ୍କଲାରସିପ୍ ପାଇଛନ୍ତି। ସେହିପରି ପ୍ରତିବର୍ଷ ୨୨ରୁ ୨୭ ବର୍ଷ ମଧ୍ୟରେ ଥିବା ଏକ ହଜାର ଛାତ୍ରଛାତ୍ରୀଙ୍କୁ ଇନ୍ସ୍ପାୟର ଫେଲସିପ ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୮ ହଜାର ୫ଶହ ଜଣ ଇନ୍ସ୍ପାୟର ଫେଲୋସିପ୍ ପାଇ ସାରିଛନ୍ତି। ସେହିପରି ଇନ୍ସ୍ପାୟର ଫେକ୍ଲୁଟି ଫେଲୋସିପ୍ ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୨୬୫ ଜଣଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯାଇଛି।