ଆଜିଠାରୁ ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋଡ୍

ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ଭକ୍ତଙ୍କ ପାଇଁ ଏକ ନୂତନ ଗାଇଡଲାଇନ୍ ଜାରି କରିଛି । ମନ୍ଦିର ପ୍ରଶାସନ ଆଜି ଜାନୁୟାରୀ ୩୦ ଠାରୁ ଭକ୍ତଙ୍କ ପାଇଁ ଡ୍ରେସ କୋଡ୍ ବ୍ୟବସ୍ଥା ଲାଗୁ କରିଛି । ନୂତନ ବ୍ୟବସ୍ଥା ଅନୁଯାୟୀ, ସ୍କର୍ଟ, ଚିରାଫଟା ପୋଷାକ ଏବଂ ରିଭିଲିଂଗ୍ ପୋଷାକ ପିନ୍ଧିଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।
ମନ୍ଦିର ଟ୍ରଷ୍ଟର କୋଷାଧ୍ୟକ୍ଷ ଆଚାର୍ଯ୍ୟ ପୱନ ତ୍ରିପାଠୀ କହିଛନ୍ତି, ମୁମ୍ବାଇସ୍ଥିତ ସିଦ୍ଧିବିନାୟକ ମନ୍ଦିର କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ସନାତନୀ ଏବଂ ଗଣେଶ ଭକ୍ତଙ୍କ ଆସ୍ଥାର ଏକ ପ୍ରମୁଖ କେନ୍ଦ୍ର । ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସନ୍ତି । କିନ୍ତୁ ଯେତେବେଳେ ଲୋକମାନେ କୌଣସି ପବିତ୍ର ସ୍ଥାନକୁ ଯାଆନ୍ତି, ସେଠାକାର କିଛି ନିୟମ ପାଳନ କରିବା ଆବଶ୍ୟକ ହୋଇଥାଏ, ଯାହାଫଳରେ ସେହି ସ୍ଥାନର ପବିତ୍ରତା ବଜାୟ ରହିବ ।
ସେ କହିଛନ୍ତି ଯେ ମନ୍ଦିର ଦର୍ଶନ କରୁଥିବା ଭକ୍ତଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଅନେକ ଭକ୍ତ ମନ୍ଦିରରେ ଦର୍ଶନ କରିବା ସମୟରେ କିଛି ଶ୍ରଦ୍ଧାଳୁଙ୍କ ପୋଷାକକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏହି ଶ୍ରଦ୍ଧାଳୁମାନଙ୍କ ପୋଷାକରେ ଶାଳୀନତା ନ ଥିଲା । ଏହାକୁ ବିଚାରକୁ ନେଇ ମନ୍ଦିର ଟ୍ରଷ୍ଟ ଏହି ନିଷ୍ପତ୍ତି ନେଇଛି । ଏଣିକି ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଭଲ ପୋଷାକ ପିନ୍ଧିବାକୁ ପଡ଼ିବ ।
ଏହା ଧାର୍ମିକ ଏବଂ ଆସ୍ଥା ସହ ଜଡ଼ିତ ପ୍ରସଙ୍ଗ । ଆମେ ଚାହୁଁଛୁ, ମନ୍ଦିରକୁ ଆସୁଥିବା ଭକ୍ତମାନେ ଏହା ପାଳନ କରନ୍ତୁ । ଧୀରେ ଧୀରେ ଭକ୍ତମାନଙ୍କ ନିକଟରେ ଏହି ନିୟମ ବିଷୟରେ ସୂଚନା ପହଞ୍ଚିବ ଏବଂ ସେମାନେ ଏହାକୁ ଅନୁସରଣ କରିବେ ବୋଲି ଆଚାର୍ଯ୍ୟ ପୱନ ତ୍ରିପାଠୀ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଅଯୋଧ୍ୟାକୁ ଛୁଟିଲେ ଏତେ ଶ୍ରଦ୍ଧାଳୁ…, ୧୫-୨୦ ଦିନ ପରେ ଆସିବାକୁ ନିବେଦନ କଲା ରାମ ମନ୍ଦିର ଟ୍ରଷ୍ଟ