ଦରମା ନବଢ଼ାଇବାରୁ ଅମଣିଷ ହେଇଗଲା ଡ୍ରାଇଭର, ନେଇଗଲା ୪ ଜୀବନ

ଦରମା ବଢ଼ିଲାନି ବୋଲି ଭୟଙ୍କର କାଣ୍ଡ । ଅମଣିଷ ହେଇଗଲା ଜଣେ ଡ୍ରାଇଭର । ନିଜ ସ୍ବାର୍ଥ ପୂରଣ ହେଲାନି ବୋଲି କରି ବସିଲା ଭୟାନକ ଅପରାଧ । ନିଆଁ ଏମିତି ଲଗାଇଲା ଯେ ଚାଲିଗଲା ୪ ଜଣଙ୍କ ଜୀବନ । ଏଭଳି ଅମାନୁଷିକ ଘଟଣା ଘଟାଇଛି ଜଣେ ଡ୍ରାଇଭର । ଏହି ଅଘଟଣ ଘଟିଛି ମହାରାଷ୍ଟ୍ର ପୁନେରେ । କମ୍ପାନୀ କର୍ତ୍ତୃପକ୍ଷ ଏହି ଡ୍ରାଇଭରର ଦରମା ବଢ଼ାଇ ନଥିଲେ । ସେହି ରାଗରେ ସେ କର୍ମଚାରୀମାନେ ଯାଉଥିବା କମ୍ପାନୀ ବସରେ ନିଆଁ ଲଗାଇଦେଲା । ଆଉ ଜଳି ମରିଗଲେ ୪ ଜଣ କର୍ମଚାରୀ ।

ଘଟଣା ଘଟିଥିଲା ମାର୍ଚ୍ଚ ୧୯ ତାରିଖ ଦିନ । ଏହି ବଦମାସ ଡ୍ରାଇଭର ନିଜେ ସେଦିନ ବସ୍ ଚଳାଉଥିଲା । ନିଜ ଗୋଡ଼ ପାଖରେ ଥିବା ଏକ କେମିକାଲରେ ନିଆଁ ଲଗାଇ ନିଜେ ବସ୍ ଡୋର୍ ବନ୍ଦ କରି ପଳାଇଗଲା । ଫଳରେ ବସରେ ଫସି ଯାଇଥିବା ଚାରି ଜଣ କମ୍ପାନୀ କର୍ମଚାରୀ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କଲେ । ବସଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ରାସ୍ତାରେ ଗଡ଼ି ଚାଲିଥାଏ । ଏହି ଭୟଙ୍କର ଦୃଶ୍ୟ ଯିଏ ଦେଖିଛି ତା ଛାତି ଥରି ଉଠିଛି । ଡ୍ରାଇଭର ନିଜେ ସିନା ଫେରାର ହୋଇଗଲା ହେଲେ ତାର ଦୁର୍ବୁଦ୍ଧି ଓ ପାଗଳାମୀ ଯୋଗୁଁ ମରିଗଲେ ଚାରି ଜଣ ନିରୀହ କର୍ମଚାରୀ । ପରେ ଅବଶ୍ୟ ପୋଲିସ୍ ଏହି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଥିଲା । ସେ ମଧ୍ୟ ଆହତ ହୋଇଥିବାରୁ ତାକୁ ପ୍ରଥମେ ଚିକିତ୍ସା କରାଯାଇଥିଲା ।

ଯାହା ସୂଚନା ମିଳିଛି, ଏହି ଡ୍ରାଇଭରର କିଛି କର୍ମଚାରୀଙ୍କ ସହ ବିବାଦ ଥିଲା । ସେହି କାରଣ ଏବଂ ଦରମା ନବଢ଼ିବା କାରଣରୁ ସେ ବସରେ ନିଆଁ ଲଗାଇ ଦେଇଥିଲା । ତେବେ ଘଟଣା ଦିନ କିନ୍ତୁ ବିବାଦ ଥିବା କର୍ମଚାରୀମାନେ କିନ୍ତୁ ସେହି ବସରେ ନଥିଲେ । ପୁନେର ହିଞ୍ଜବାଡ଼ି ଅଞ୍ଚଳରେ ମିନି ବସଟି ଯାଉଥିବା ବେଳେ ଏଥିରେ ନିଆଁ ଲାଗିଥିଲା । ବସରୁ କିଛି କର୍ମଚାରୀ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ । ନଚେତ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିଥାନ୍ତା । ଏହି ବସରେ ମୋଟ ୧୪ ଜଣ ଲୋକ ଥିଲେ । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ । ଆଇସିୟୁରେ ଏମାନଙ୍କର ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଅତି ଗୁରୁତର ରହିଛି । ବସରେ ଥିବା ସମସ୍ତେ ଏକ ଗ୍ରାଫିକ୍ସ କମ୍ପାନୀର କର୍ମଚାରୀ ଥିଲେ । ବସ୍ ଯୋଗେ କମ୍ପାନୀକୁ କାମ କରିବା ପାଇଁ ଯାଉଥିଲେ । ମୃତ୍ୟୁ ଘଟିଥିବା ୪ ଜଣ ଯାକ ପଛ ସିଟରେ ବସିଥିଲେ । ବସରେ ନିଆଁ ଲାଗିବା ପରେ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ସେମାନେ ଭିତରୁ ବାହାରି ପାରିନଥିଲେ । ମୃତକମାନେ ହେଲେ ଶଙ୍କର ସିନ୍ଦେ, ରାଜନ ଚୌହାନ, ଗୁରୁଦାସ ଲୗକରେ ଓ ସୁଭାଷଭୋଁସଲେ ।

ଗତ ବୁଧବାର ସକାଳେ ଏହି ଭୟାନକ ଘଟଣା ଘଟିଥିଲା । ସକାଳ ସାଢ଼େ ୭ଟା ବେଳେ ପୋଲିସ୍ ଖବର ପାଇ ପହଞ୍ଚିଲା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା । ତେବେ ତଦନ୍ତ କରି ପୋଲିସ୍ ଜାଣିବାକୁ ପାଇଲା ଯେ ବସରେ ନିଆଁ ଲାଗିବା ଏକ ଦୁର୍ଘଟଣା ନୁହେଁ ଷଡ଼ଯନ୍ତ୍ର । ଏହି ଜହ୍ଲାଦ ଡ୍ରାଇଭର ନାଁ ହେଉଛି ଜନାର୍ଦ୍ଦନ ହମ୍ବରଦେକର । ତା ନାଁରେ ୧୦୩ ଓ ୧୦୯ ଧାରାରେ ମାମଲା ରୁଜୁ କରି ପୋଲି ତଦନ୍ତ ଜାରି ରଖିଛି ।… ତେବେ ଦରମା ନବଢ଼ିବା ରାଗରେ ଜଣେ ମଣିଷ ଏଭଳି ରାକ୍ଷସ ଭଳି କାଣ୍ଡ କରି ପାରେ ବୋଲି ସତରେ ବିଶ୍ବାସ କରିବା ସହଜ ହେଉନି ।

Also Read: ବଜ୍ରପାତରେ ଜଣେ ମୃତ, ସୋର ଖଇରା ଥାନା ଚକ୍ରଧରପୁରରେ ଅଘଟଣ