ମିଆଁମାର ଛାଡ଼ି ବାଂଲାଦେଶ ପଳାଉଥିବା ରୋହିଙ୍ଗ୍ୟାଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ, ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ମିଆଁମାରରୁ ରୋହିଙ୍ଗ୍ୟାମାନଙ୍କୁ ନେଇ ପୁଣି ଆସିଛି ଏକ ଦୁଃଖଦ ଖବର । ଏଠାରେ ହିଂସାରୁ ବର୍ତ୍ତିବା ପାଇଁ ଦେଶ ଛାଡ଼ି ବାଂଲାଦେଶ ଯିବାକୁ ଚେଷ୍ଟା କରୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ଡ୍ରୋନ୍‌ରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ମହିଳା, ଛୋଟ ପିଲାଙ୍କ ସମେତ ପୂରା ପରିବାର ଅଛନ୍ତି ।

ରିପୋର୍ଟ ମୁତାବକ, ବାଂଲାଦେଶ ସୀମା ନିକଟ ମିଆଁମାରର ପଶ୍ଚିମ ରଖାଇନ୍‌ ରାଜ୍ୟରେ ଏହି ଆକ୍ରମଣ ହୋଇଛି । ନଦୀ କୂଳରେ ଡଙ୍ଗାକୁ ଅପେକ୍ଷା କରି ରହିଥିବା ରୋହିଙ୍ଗ୍ୟାମାନଙ୍କ ଉପରେ ଡ୍ରୋନ୍‌ ଦ୍ୱାରା ବୋମା ଫିଙ୍ଗାଯାଇଛି । ତେବେ କିଛି ଲୋକ ନିଜକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡ଼ିିଥିଲେ ।

ଡ୍ରୋନ୍‌ ଆକ୍ରମଣ ପରର ଏକ ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ନଦୀ ପାର୍ଶ୍ୱରେ ଏକାଧିକ ବୟସ୍କ ଏବଂ ଛୋଟ ପିଲାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି ।

ଅଧିକାରୀଙ୍କ ସୂଚନା ମୁତାବକ, ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ୨ ବର୍ଷ ଝିଅର ମଧ୍ୟ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପାଇଁ ମିଲିସିଆ ଏବଂ ମିଆଁମାର ସେନା ପରସ୍ପର ଉପରେ ଅଭିଯୋଗ ଆଣିଛନ୍ତି । ଯେତେବେଳେ ବାଂଲାଦେଶ ସୀମାରେ ଲୋକମାନେ ଅପରପାର୍ଶ୍ୱକୁ ଯିବାକୁ ଅପେକ୍ଷା କରି ରହିଥିଲେ, ସେତେବେଳେ ଏହି ଆକ୍ରମଣ ହୋଇଥିଲା ।

କହି ରଖୁଛୁ, ୧୯୪୮ରେ ମିଆଁମାର ସ୍ୱାଧୀନ ହେବା ପରଠାରୁ ରୋହିଙ୍ଗ୍ୟା ମୁସଲମାନ ଏବଂ ମିଆଁମାରର ବହୁସଂଖ୍ୟକ ବୌଦ୍ଧ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like