ଟ୍ରାଫିକ୍ କର୍ମୀଙ୍କୁ ଗାଡ଼ିରେ ଘୋଷାଡ଼ି ନେଲା ମଦ୍ୟପ ଡ୍ରାଇଭର, ଅଳ୍ପକେ ବର୍ତ୍ତିଲା କର୍ମଚାରୀଙ୍କ ଜୀବନ

ରାସ୍ତାରେ ଚାଲିଲା ମଦ୍ୟପ ଡ୍ରାଇଭରଙ୍କ ଉତ୍ପାତ । ନିଶାରେ ମାତାଲ ହୋଇ ଟ୍ରାଫିକ୍ ପୋଲିସ କର୍ମୀଙ୍କୁ ଗାଡ଼ିରେ ଘୋଷାଡ଼ି ନେଲା ମଦ୍ୟପ ଡ୍ରାଇଭର । ଅଳ୍ପକେ ବର୍ତ୍ତିଲା ଟ୍ରାଫିକ୍ କର୍ମଚାରୀଙ୍କ ଜୀବନ । ନିଜ ଜୀବନକୁ ବାଜି ଲଗାଇ ମଦ୍ୟପ ଡ୍ରାଇଭରକୁ କାବୁ କରିବାରେ ସଫଳ ହେଲେ ଟ୍ରାଫିକ୍ ପୋଲିସ । ମଦ୍ୟପ ଡ୍ରାଇଭରମାନେ ଖାଲି ଗାଡ଼ି ଚଳାଉଛନ୍ତି ତାହା ନୁହେଁ ଟ୍ରାଫିକ୍ ପୋଲିସକୁ ବି ଏମାନଙ୍କର ଭୟ ନାହିଁ । ଗାଡ଼ିର କାଗଜ ପତ୍ର ମାଗିଲେ ଟ୍ରାଫିକ୍ ପୋଲିସଙ୍କ ସହ କରୁଛନ୍ତି ଖରାପ ବ୍ୟବହାର । ତେବେ ଏଭଳି ଅଭାବନୀୟ ଘଟଣା ହରିୟାଣାର ଫରିଦାବାଦର ବଲ୍ଲଭଗଡ଼ରୁ ସାମ୍ନାକୁ ଆସିଛି ।
ନିଶାରେ ଚୁର ଥିବା କାର ଡ୍ରାଇଭରଟି ଏମିତି ସ୍ପିଡରେ ଗାଡି ଚଳାଇଥିଲା ଯେ ଅନ୍ୟ ଲୋକଙ୍କ ଜୀବନ ବିପଦରେ ପଡ଼ିଥିଲା । ସୂଚନା ଅନୁସାରେ ଟ୍ରାଫିକ ପୋଲିସର ସବ୍ ଇନ୍ସପେକ୍ଟର କାର ନିକଟକୁ ଯାଇ ଡ୍ରାଇଭର ଠାରୁ କାଗଜ ପତ୍ର ମାଗିବା ସହ ଚାଲାଣ କାଟିବାକୁ ଯାଇଥିଲେ। କିନ୍ତୁ ହଠାତ ଡ୍ରାଇଭର ଜଣକ ସ୍ପିଡରେ ଗାଡି ଚଳାଇବା ଆରମ୍ଭ କରିଥିଲା । ପାଖରେ ଛିଡ଼ା ହୋଇଥିବା ପୋଲିସ କର୍ମଚାରୀଙ୍କୁ ବି ମଦ୍ୟପ ଡ୍ରାଇଭର ବହୁ ଦୂରକୁ ଟାଣି ନେଇ ଯାଇଥିଲା । କିନ୍ତୁ ଅନ୍ୟ ପୋଲିସ କର୍ମଚାରୀମାନଙ୍କ ସହାୟତାରେ କାର ଡ୍ରାଇଭରକୁ କାବୁ କରାଯାଇଥିଲା । ଡ୍ରାଇଭର ଲୋକ ଗହଳି ଭିତରେ ଏମିତି ଡ୍ରାଇଭିଂ କରିଥିଲା ଯେ ରାସ୍ତାରେ ଥିବା ଅନ୍ୟ ଲୋକମାନେ ବି ଦୁର୍ଘଟଣାର ଶିକାର ହୋଇଥାନ୍ତେ । ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ଘଟିନାହିଁ ।
ଘଟଣାସ୍ଥଳରେ ଉପସ୍ଥିତ ଯାତ୍ରୀମାନଙ୍କ କହିବା ଅନୁସାରେ କାର ଡ୍ରାଇଭର ରାସ୍ତା ମଝିରେ କାର ପାର୍କିଂ କରି ଯାତ୍ରୀଙ୍କୁ ଚଢ଼ାଉଥିଲା । ଯେଉଁ କାରଣରୁ ରାସ୍ତାରେ ଟ୍ରାଫିକ୍ ଜାମ ହୋଇଥିଲା । ଏହା ଦେଖି ଟ୍ରାଫିକ ପୋଲିସର ସବ-ଇନ୍ସପେକ୍ଟର କାର ଡ୍ରାଇଭର ପାଖକୁ ଆସି ଗାଡ଼ିର କାଗଜ ପତ୍ର ମାଗିଥିଲେ । ବାସ୍ ତା ପରେ କାର ଡ୍ରାଇଭର ଓ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ଟ୍ରାଫିକ୍ ପୋଲିସଙ୍କୁ ଧରି ଘୋଷାଡ଼ି ନେଇଥିଲା ଡ୍ରାଇଭର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଗୋଟ ପଟେ ଟ୍ରାଫିକ୍ ପୋଲିସଙ୍କୁ ଘୋଷାଡ଼ି ନେଇ ଡ୍ରାଇଭର ସ୍ପିଡରେ ଗାଡ଼ି ଚଳାଉଥିବାବେଳେ ଅନ୍ୟ ଡୋରରେ ଜଣଙ୍କ ପରେ ଜଣେ ଲୋକ ଚାଲୁଥିବା କାରରୁ ହିଁ ଡେଇଁ ପଡ଼ିଥିଲେ । ଗାଡ଼ିଟି ରାସ୍ତାରେ ଥିବା ଡିଭାଇଡର ଉପରେ ମଧ୍ୟ ଚଢ଼ିଯାଇଥିଲା । ଗାଡ଼ିଟି ଚାଲୁଥିବା ସମୟରେ ଟ୍ରାଫିକ୍ ପୋଲିସ କର୍ମଚାରୀ ଜଣଙ୍କ ଏମିତି ଓହଳି ରହିଥିଲେ ଯେ ତାଙ୍କ ଜୀବନ ଯାଇଥାନ୍ତା । କିନ୍ତୁ ବହୁ କଷ୍ଟରେ ଅଭିଯୁକ୍ତ କାର ଡ୍ରାଇଭରକୁ କାବୁ କରି ପୋଲିସ ପୋଷ୍ଟକୁ ନିଆଯାଇଥିଲା।
ଟ୍ରାଫିକ ବ୍ୟବସ୍ଥାକୁ ନେଇ ଅନେକ ନିୟମ କରାଯାଉଛି । କିନ୍ତୁ ଏଭଳି ଅମାନିଆ ଡ୍ରାଇଭର ନିୟମକୁ ନମାନି ମନ ଇଚ୍ଛା ଗାଡ଼ି ଚଲାଉଛନ୍ତି । ଫଳରେ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନକୁ ବି ବିପଦରେ ପକାନ୍ତି ଏଭଳି ଡ୍ରାଇଭର । ଯଦି ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ହୁଏତ ଏଭଳି ମଦ୍ୟପ ଡ୍ରାଇଭରମାନେ ନିୟନ୍ତ୍ରଣରେ ରହିବେ ।