ଦିଲ୍ଲୀ : ମେଟ୍ରୋ ପିଲାର ସହିତ ଧକ୍କା ହେଲା ଡିଟିସି ବସ୍, ଜଣେ ମୃତ, ୨୩ ଗୁରୁତର

ପଶ୍ଚିମ ଦିଲ୍ଲୀରେ ଏକ ଡିଟିସି ଇଲେକ୍ଟ୍ରିକ ବସ୍ ମେଟ୍ରୋ ପିଲାରରେ ଧକ୍କା ହୋଇଛି । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ଆହତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବକ, ସକାଳ ୭.୪୨ ମିନିଟରେ ରୋହତମ ରୋଡ ଶିବାଜୀ ପାର୍କ ମେଟ୍ରୋ ଷ୍ଟେସନ ପାଖରେ ଏକ ଡିଟିସି ଇଲେକ୍ଟ୍ରିକ ବସ୍ ମେଟ୍ରୋ ପିଲାରରେ ଧକ୍କା ହୋଇଥିଲା । ଡିସିପି କହିଛନ୍ତି, ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, ମଙ୍ଗୋଲପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ଚାଲୁଥିବା ଡିଟିସି ଇଲେକ୍ଟ୍ରିକ ବସ୍ ମେଟ୍ରୋ ଖୁଣ୍ଟରେ ଧକ୍କା ହୋଇଛି । ବସ୍ ହଠାତ୍ ବ୍ରେକ ଲଗାଇବା କାରଣରୁ ପଛରେ ଥିବା ଏକ ଅଟୋ ବସ୍କୁ ଧକ୍କା ଦେଇଥିଲା ।
ଏହି ଦୁର୍ଘଟଣାରେ ବସରେ ଥିବା ୪୫ ବର୍ଷୀୟ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଅନ୍ୟ ଜଣେ ୫୫ ବର୍ଷୀୟ ଯାତ୍ରୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ୨୩ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ଚିକିତ୍ସା ମହାରାଜା ଅଗ୍ରସେନ ହସପିଟାଲରେ ହେଉଥିବା ବେେଳେ ବାକି ୧୦ ଜଣଙ୍କ ଚିକିତ୍ସା ମୋତି ନଗର ଆଚାର୍ଯ୍ୟ ଭିକ୍ଷୁ ହସପିଟାଲରେ ହେଉଛି । ଏହି ଘଟଣାରେ ପଞ୍ଜାବୀ ବାଗ ପୋଲିସ ଷ୍ଟେସନର ମାମଲା ଦାୟର ହୋଇଛି । ପୋଲସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ତେବେ ଡିଟିସିର ଜଣେ ଅଧିକାରୀ କହିବା ମୁତାବକ, ବସ୍ ନିଜ ନିର୍ଦ୍ଧାରିତ ଲେନରେ ଯାଉଥିବା ବେଳେ ଜଣେ ବାଇକ ଚାଳକ ଏବଂ ଅଟୋ ହଠାତ୍ ଡାହାଣକୁ ଗାଡି ବୁଲାଇ ଦେଇଥିଲେ । ତେଣୁ ବସଟି ଦୁର୍ଘଟଣାରୁ ବର୍ତ୍ତବା ପାଇଁ ବସ୍ ଚାଳକ ଡାହାଣକୁ ବସ୍କୁ ବୁଲାଇ ଦେଇଥିଲେ । ଏହାପରେ ବସଟି ଅନିୟନ୍ତ୍ରିତ ହୋଇ ମେଟ୍ରୋ ଖୁଣ୍ଟରେ ଧକ୍କା ହୋଇଥିଲା ।